
ଭୁବନେଶ୍ୱର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ତଥା ଓଡ଼ିଶାର ଅନ୍ୟତମ ବିଶିଷ୍ଟ ନେତା ଡ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ଵୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗଭୀର ଶୋକ ପ୍ରକାଶ କରିଛନ୍ତି l
ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, “ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l ତାଳଚେର ମଣ୍ଡଳ ବିଜେପି ସଭାପତିରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ବିଜେପିର ଜିଲ୍ଲା ସଭାପତି,
ଦୁଇଥର ବିଜେପି ରାଜ୍ୟ ସଭାପତି, ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ଦେବଗଡ଼ ସଂସଦୀୟ ନିର୍ବାଚନ ମଣ୍ଡଳୀର ଦୁଇଥର ସାଂସଦ, କେନ୍ଦ୍ର ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ, କେନ୍ଦ୍ର ଭୂପୃଷ୍ଠ ପରିବହନ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ରାଜ୍ୟସଭାର ସାଂସଦ ରୂପେ ସେ ଅତ୍ୟନ୍ତ ଦକ୍ଷତାର ସହ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ l ଦୀର୍ଘ ସମୟ ଧରି ଉଭୟ ରାଜ୍ୟ ତଥା ଜାତୀୟ ରାଜନୀତିରେ ତାଙ୍କର ଭୂମିକା ଥିଲା ଉଲ୍ଲେଖନୀୟ l ଜୀବନବ୍ୟାପୀ ସେ ଲୋକଙ୍କ ସେବା କରିବାରେ ନିଜକୁ ଉତ୍ସର୍ଗ କରିଥିଲେ l ତାଙ୍କ ସୁପୁତ୍ର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଓ ଜାତୀୟ ସ୍ତରରେ ଜଣେ ତୁଙ୍ଗ ରାଜନେତା ଭାବେ ସୁନାମ ଅର୍ଜନ କରିଛନ୍ତି ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି l ଜଣେ ସୁଦକ୍ଷ ଓ ଜନସେବା ପ୍ରତି ସମର୍ପିତ ରାଜନେତା ଭାବେ ତାଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ l
ଏହି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ l ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ
କରୁଛି l”