
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, “ପିତାଙ୍କ ସ୍ଥାନ ସର୍ବଦା ସ୍ୱତନ୍ତ୍ର । ନିଜ ପିତାଙ୍କୁ ହରାଇବା ଦୁଃଖ ଜୀବନର ସବୁଠାରୁ କଷ୍ଟଦାୟକ ମୁହୂର୍ତ୍ତ ହୋଇଥାଏ । ଏଭଳି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଜଗନ୍ନାଥ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ । ଦେବେନ୍ଦ୍ର ପ୍ରଧାନ ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହୋଇ ଭାରତ ସରକାରଙ୍କ ଭୂପୃଷ୍ଠ ପରିବହନ ଏବଂ ରାଜପଥ, କୃଷି ମନ୍ତ୍ରୀରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଦେଶର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ । ତାଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ଵ, ସୁଦକ୍ଷ ସାଙ୍ଗଠନିକ କାର୍ଯ୍ୟଶୈଳୀ ସର୍ବଦା ଆମକୁ ପ୍ରେରଣା ଯୋଗାଇବ । ବ୍ୟକ୍ତିଗତ ଭାବେ ସେ ଜଣେ ଭଦ୍ର, ନିର୍ମଳ ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଭୂପୃଷ୍ଠ ପରିବହନ, କୃଷି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟକରି ଦେଶ ତଥା ରାଜ୍ୟର ବିକାଶରେ ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ।
ତାଙ୍କର ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ଗଭୀର ଭାବେ ମର୍ମାହତ । ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି ।
ଦିବଂଗତ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଲୋତକାପ୍ଳୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।”