
ଭୁବନେଶ୍ୱର,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ ଜନକଲ୍ୟାଣ ମୂଳକ କାର୍ଯ୍ୟକରି ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ବୋଲି ମନ୍ତ୍ରୀ ଡଃ ମହାପାତ୍ର ଶୋକବାର୍ତ୍ତାରେ କହିଛନ୍ତି ।
ରାଜ୍ୟ ବିଜେପିର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ସେବା ଓ ସଂକଳ୍ପ ମନୋଭାବରେ ସେ ରାଜ୍ୟର ବିକାଶ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ । ଏହି ବର୍ଷିୟାନ ବ୍ୟକ୍ତିତ୍ୱଙ୍କ ବିୟୋଗ ଯୋଗୁ ଦେଶ ତଥା ରାଜ୍ୟ ଜଣେ ବିଶିଷ୍ଟ ଜନସେବକଙ୍କୁ ହରାଇଲା ବୋଲି ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି ।
ତାଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇ ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି ମନ୍ତ୍ରୀ ଡଃ ମହାପାତ୍ର ପ୍ରାର୍ଥନା କରିବା ସହିତ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।