
ନୂଆଦିଲ୍ଲୀ– ପଦ୍ମ ଭୂଷଣ ପ୍ରଖ୍ୟାତ ଓଡ଼ିଆ କବି ତଥା ସାହିତ୍ୟ ଏକାଡେମୀର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ରଥଙ୍କର ରବିବାର ସକାଳେ ବିୟୋଗ ହୋଇଛି । ତାଙ୍କ ବିୟୋଗରେ ସାହିତ୍ୟ ଏକାଡେମୀ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ସାହିତ୍ୟ ଏକାଡେମୀ ତାର ପୂର୍ବତନ ସଦସ୍ୟ, ପୂର୍ବତନ ଅଧ୍ୟକ୍ଷ ତଥା ଓଡ଼ିଶାର ପ୍ରଖ୍ୟାତ କବି ରଥଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛି । ସାହିତ୍ୟ ଏକାଡେମୀର ସଚିବ ଡ.କେ ଶ୍ରୀନିବାସରାଓ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ପ୍ରତିଷ୍ଠିତ ଓଡ଼ିଆ କବି ତଥା ବିଦ୍ୱାନ ରମାକାନ୍ତ ରଥଙ୍କ ବିୟୋଗରେ ଦୁଃଖିତ ।
ତାଙ୍କ କବିତା ଅଗଣିତ ପାଠକଙ୍କୁ ଗଭୀର ଭାବେ ଆତ୍ମନିରୀକ୍ଷଣ କରିବା, ଜୀବନ, ମୃତ୍ୟୁ ଓ ଭୌତିକ ଦୁନିଆରୁ ଉପରେ ଜୀବନର ଅସ୍ତିତ୍ୱ ସଂପର୍କରେ ଜାଣିବା ସହିତ ତାଙ୍କୁ ସାଂସ୍କୃତିକ ମୂଳକୁ ପୁଣି ଥରେ ଖୋଜିବାରେ ସକ୍ଷମ କରିଥିଲା । ଶ୍ରୀ ରାଧା ଓ ସପ୍ତମ ଋତୁ ପରି ତାଙ୍କ ପ୍ରସିଦ୍ଧ ରଚନା ସବୁବେଳେ ଆମ ସହ ରହିବ ଏବଂ ପାଠକଙ୍କୁ ଆତ୍ମ ତଲାସୀରେ ସହଯୋଗ କରିବ ।