
-
ନ୍ୟାୟାଳୟରେ ମାମଲା ଥିବାରୁ ପୋଲାଭରମ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ପାଇଁ ଅନୁମତି ଦେଲେନି ବାଚସ୍ପତି ଗୃହ ବାରମ୍ବାର ମୁଲତବୀ
ଭୁବନେଶ୍ୱର, ଆଜି ବିରୋଧୀ ଦଳ ବିଜେଡି ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇ ପାରି ନାହିଁ। ପୋଲାଭରମ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବିରୋଧୀ ବିଜେଡି ଦଳର ବିଧାୟକ ମାନେ ଦାବି କରି ନାରାବାଜି କରି ଥିଲେ। ଏହି କାରଣରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରି ଥିଲେ। ଏହା ପରେ ମଧ୍ୟ ସମାନ ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ଫଳରେ ବାଚସ୍ପତିଙ୍କୁ ବାରମ୍ବାର ଗୃହକୁ ମୁଲତବୀ କରିବାକୁ ପଡିଥିଲା ।
ଆଜି ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ସକାଳ ୧୦.୩୦ ମିନଟ ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇ ଥିଲା। ବାଚସ୍ପତି ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମନ୍ତ୍ରୀ ମୁକେଶ ମହଲିଂଗ ଙ୍କୁ ଡାକିଥିଲେ। ଏହି ସମୟର ବିଜେଡିର ବିଧାୟକ ମାନେ ଗୃହ ର ମଧ୍ୟ ଭାଗକୁ ଆସି ପୋଲାଭରମ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିବା ସହ ନାରାବାଜି କରିବା ଦେଖିବାକୁ ମିଳିଥିଲା।ନାରାବାଜି କମ୍ ନ ହେବା କାରଣରୁ ବାଚସ୍ପତି ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
11.30ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ଥରେ ବିଜେଡି ବିଧାୟକ ମାନେ ପୋଲାଭରମ ପ୍ରସଙ୍ଗକୁ ନେଇ ନାରାବାଜୀ କରିଥିଲେ । ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକ ମାନେ ମଧ୍ୟ ହାତରେ ପ୍ଲାକାର୍ଡ ଧରି ମହିଳା ଅପରାଧ ପ୍ରସଙ୍ଗରେ ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା ।
ବାଚସ୍ପତି ସୁରମା ପାଢୀ କହିଥିଲେ ଯେ ବିଜେଡି ଦଳ ପକ୍ଷରୁ ପୋଲାଭରମ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ନୋଟିସ ଦିଆଯାଇଥିଲା । ତେବେ ଏହି ମାମଲା ନ୍ୟାୟାଳୟରେ ଥିବାରୁ ଗୃହର ନିୟମାବଳୀ ଅନୁସାରେ ଏହି ପ୍ରସ୍ତାବ ଉପରେ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇ ପାରିବ ନାହିଁ । ଅନ୍ୟ ପକ୍ଷରେ ବିରୋଧୀ ବିଧାୟକ ମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ବାଚସ୍ପତି ଗୃହରୁ 12.15 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । 12.15ରେ ଗୃହ କାର୍ଯ ପୁଣି ଥରେ ଆରମ୍ଭ ହେବା ମାତ୍ରେ ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା । ଫଳରେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ 15 ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ ।