
-
ସଚେତନତା ଓ ଚିକିତ୍ସାରୁ ଯେପରି କୌଣସି ଶିଶୁ ବଞ୍ଚିତ ନ ହେଉ: ମାନ୍ୟବର ମନ୍ତ୍ରୀ
-
୨୦୪୭ ସୁଦ୍ଧା ସିକିଲ୍ ସେଲ୍ ଆନିମିଆ ଦୂରୀକରଣ ପାଇଁ ଲକ୍ଷ୍ୟ
-
କର୍ମଶାଳାରେ ୨୫୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଯୋଗଦାନ
ଭୁବନେଶ୍ୱର,‘ସିକିଲ୍ ସେଲ୍ ଏବଂ ଥାଲାସେମିଆ ନିରାକରଣ: ବେଷ୍ଟ୍ ପ୍ରାକ୍ଟିସ୍ ଓ ସ୍କେଲେବଲ୍ ଷ୍ଟ୍ରାଟେଜୀ’ ବିଷୟବସ୍ତୁକୁ ନେଇ ଦୁଇ ଦିନିଆ ଜାତୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ୨୦୨୩ ମସିହାରେ ଆରମ୍ଭ ହୋଇଥିବା ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ମିଶନ୍ ହେଉଛି ଏକ ଐତିହାସିକ ପଦକ୍ଷେପ । ୨୦୪୭ ସୁଦ୍ଧା ଏହି ରୋଗକୁ ଦୂର କରିବା ନେଇ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ । ଓଡ଼ିଶା ଏହି ମିଶନରେ ସକ୍ରିୟ ଅଂଶଗ୍ରହଣ କରି ଦୂରଦୂରାନ୍ତ ଜନଜାତି ଅଞ୍ଚଳରେ ବ୍ୟାପକ ସ୍କ୍ରିନିଂ ଏବଂ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରୁଥିବା କହିଛନ୍ତି ।
ଉଦଘାଟନୀ କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵତୀ. ଏସ୍, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଉପ ଶାସନ ସଚିବ ଡ଼ ରାଜି ଏନ.ଏସ., ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଡ଼ ପୋମା ଟୁଡୁ, ୟୁନିସେଫ୍ ଓଡ଼ିଶା ମୁଖ୍ୟ ଶ୍ରୀ ୱିଲିୟମ୍ ହାନଲୋନ୍, ଦିଲ୍ଲୀ ଏମ୍ସର ହେମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ମନୋରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ମାର୍ଚ୍ଚ ୧୧ ଓ ୧୨ ତାରିଖରେ ମେଫେୟାର୍ କନଭେନସନ୍ ଠାରେ ଆୟୋଜିତ କରାଯାଇଛି । ଏହି କର୍ମଶାଳାରେ ୟୁଏନଡିପି, ୟୁନିସେଫ୍, ଆଇଏସଏଚବିଟି ମଧ୍ୟ ସାମିଲ ଅଛି । ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସହଯୋଗରେ ଏହି ଦୁଇ ଦିନିଆ କର୍ମଶାଳାର ଆୟୋଜନ କରାଯାଇଛି ।
କର୍ମଶାଳା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା, ଅଗ୍ରଣୀ ସ୍ୱାସ୍ଥ୍ୟ କର୍ମୀଙ୍କ ଦକ୍ଷତା ବିକାଶ, ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସମସ୍ତ ପ୍ରଭାବିତ ପରିବାର ପାଇଁ ଔଷଧ ଏବଂ ଚିକିତ୍ସା ଉପଲବ୍ଧ କରିବା ଦିଗରେ ସୁଯୋଗ ପ୍ରଦାନ କରିବ । ସଚେତନତା ଓ ଚିକିତ୍ସାରୁ ଯେପରି କୌଣସି ଶିଶୁ ବଞ୍ଚିତ ନ ହେଉ ବୋଲି ମନ୍ତ୍ରୀ ମତପ୍ରକାଶ କରିଛନ୍ତି । ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମିଶ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରି ଓଡ଼ିଶାର ସିକିଲ୍ ସେଲ୍ ଆନିମିଆ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଓଡ଼ିଶାର ଆଦିବାସୀ ଜନସଂଖ୍ୟା ମଧ୍ୟରେ ସିକିଲ୍ ସେଲ୍ ରୋଗର ପ୍ରସାର ହାର ଦେଶରେ ସର୍ବାଧିକ । ଓଡ଼ିଶାର ୯% ରୁ ୨୨% ଆଦିବାସୀ ଜନସଂଖ୍ୟା ମଧ୍ୟରେ ସିକିଲ୍ ସେଲ୍ ଜିନ୍ ରହିଥିବା ସେ କହିଛନ୍ତି । ଭାରତ ସରକାରଙ୍କ ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ୨୦୪୭ ସୁଦ୍ଧା ସିକିଲ୍ ସେଲ୍ ରୋଗ ନିରାକରଣ ମିଶନ ସହିତ ସମନ୍ୱିତ କରି ସିକିଲ୍ ସେଲ୍ ଏବଂ ଥାଲାସେମିଆ ନିରାକରଣ ଉପରେ ଜାତୀୟ କର୍ମଶାଳା ଆୟୋଜିତ କରାଯାଇଛି ଏବଂ ଏହା ଭାରତର ଜନସ୍ୱାସ୍ଥ୍ୟ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି ।
କର୍ମଶାଳାରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵତୀ. ଏସ୍ ରାଜ୍ୟରେ ସିକିଲ୍ ସେଲ୍ ରୋଗ ପରିଚାଳନା ଓ ନିରାକରଣ ନେଇ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସେ କହିଛନ୍ତି, ଓଡ଼ିଶା ସମଗ୍ର ଦେଶରେ ସିକିଲ୍ ସେଲ୍ ରୋଗ ପରୀକ୍ଷଣରେ ଆଗୁଆ ରହିଛି, ଏଥିସହ ରୋଗୀ ଏବଂ ବାହକ ଚିହ୍ନଟରେ ମଧ୍ୟ ଦେଶ ତୁଳନାରେ ଓଡ଼ିଶା ଆଗୁଆ ରହିଛି । ଭାରତ ସରକାରଙ୍କ ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନକୁ ରାଜ୍ୟରେ ସଫଳ ରୂପେ ପରିଚାଳନା ନିମନ୍ତେ ସମସ୍ତ ଅଂଶୀଦାରମାନଙ୍କର ସହଯୋଗର ଆବଶ୍ୟକତା ଥିବା ସହ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ କମିଶନର ତଥା ଶାସନ ସଚିବ ସୂଚନା ଦେଇଥିଲେ ।
ସେହିପରି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଉପ ଶାସନ ସଚିବ ଡ଼ ରାଜି ଏନ.ଏସ. ଉପସ୍ଥିତ ରହି ଜନଜାତି ସମ୍ପ୍ରଦାୟ ମଧ୍ୟରେ ସିକିଲ୍ ସେଲ୍ ଆନିମିଆ ପରୀକ୍ଷଣକୁ ବ୍ୟାପକ କରିବା ପାଇଁ ଭାରତ ସରକାରଙ୍କ ଦ୍ଵାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ମନ୍ତ୍ରାଳୟ ଦ୍ଵାରା ବିଭିନ୍ନ ଜନଜାତି ଅଞ୍ଚଳଗୁଡ଼ିକରେ ସିକିଲ୍ ସେଲ୍ ଆନିମିଆ ନିରାକରଣ ନେଇ ସଚେତନ କରାଯାଉଥିବା ସେ ସୂଚନା ଦେଇଛନ୍ତି । ୟୁନିସେଫ୍ ଓଡ଼ିଶା ମୁଖ୍ୟ ଶ୍ରୀ ୱିଲିୟମ୍ ହାନଲୋନ୍ କର୍ମଶାଳାରେ ଭାଗ ନେଇ ଭାରତ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଜାତୀୟ ସିକିଲ୍ ସେଲ୍ ନିରାକରଣ ମିଶନକୁ ୟୁନିସେଫ୍ ର ପୂର୍ଣ୍ଣ ସମର୍ଥନ ଥିବା କହିଛନ୍ତି । ସେହିପରି ଦିଲ୍ଲୀ ଏମ୍ସର ହେମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ମନୋରଞ୍ଜନ ମହାପାତ୍ର ଉପସ୍ଥିତ ରହି ସିକିଲ୍ ସେଲ୍ ଆନିମିଆର ନିରାକରଣ କରିବାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଥିବା ସେ କହିଛନ୍ତି । ଏଥିସହ ଜାତୀୟ ସ୍ତରୀୟ କର୍ମଶାଳାର ଆୟୋଜନ ଦ୍ଵାରା ରୋଗର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଥିବା ଅଭିନବ ପ୍ରୟାସ ଓ ଅଭିଜ୍ଞତାର ଆଦାନପ୍ରଦାନ ସହଜ ହେବ ବୋଲି ସେ କହିଛନ୍ତି ।
ଏହି କର୍ମଶାଳାରେ ୨୫୦ ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଛନ୍ତି । ଯେଉଁଥିରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ, ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଅନ୍ତର୍ଜାତୀୟ ପ୍ରତିନିଧି, ଚିକିତ୍ସା ବିଶେଷଜ୍ଞ, ୟୁଏନଡିପି, ୟୁନିସେଫ୍, ଆଇଏସଏଚବିଟିର ପ୍ରତିନିଧି ଏବଂ ୧୦ ଟି ସିକିଲସେଲ ପ୍ରଭାବିତ ରାଜ୍ୟର ଜନଜାତି କଲ୍ୟାଣ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଛନ୍ତି । ଏହି ଦୁଇ ଦିନିଆ କର୍ମଶାଳାରେ ଚାରୋଟି ପ୍ରମୁଖ ଆଭିମୁଖ୍ୟ ଉପରେ ଆଲୋଚନା କରାଯିବ । ପ୍ରଥମରେ ସିକିଲ୍ ସେଲ୍ ରୋଗର ନିରାକାରଣ, ଚିକିତ୍ସା ଓ ପରିଚାଳନା, ଦ୍ବିତୀୟରେ ଜାତୀୟ ସିକିଲ୍ ସେଲ୍ ରୋଗ ନିରାକରଣ କାର୍ଯ୍ୟକ୍ରମର ପରିବର୍ତ୍ତନ, ତୃତୀୟରେ ସାମାଜିକ ଓ ଆଚରଣ ପରିବର୍ତ୍ତନ ଯୋଗାଯୋଗ ଏବଂ ବହୁମୁଖି ଦୃଷ୍ଟିକୋଣ ଆଦିବାସୀ ଜନସଂଖ୍ୟା ମଧ୍ୟରେ ସିକିଲ୍ ସେଲ୍ ରୋଗ ମୁକାବିଲା, ଚତୁର୍ଥରେ ସିକିଲ୍ ସେଲ୍ ରୋଗ ପରିଚାଳନାରେ ଆହ୍ବାନ ଓ ବିପଦ ।