
-
ଆଜି ଲଗାତାର ଦ୍ୱିତୀୟ ଦିନରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ମାନଙ୍କର ହଟ୍ଟଗୋଳ
-
ଜୟ ନାରାୟଣ ମିଶ୍ରଙ୍କ ବକ୍ତବ୍ୟର ବିରୋଧରେ ବିଜେଡି ଓ ଆଦିବାସୀ ମହିଳାଙ୍କ ସୁରକ୍ଷା ନେଇ କଂଗ୍ରେସ ବିଧାୟକ ମାନେ କଲେ ହଟ୍ଟଗୋଳ
-
ରିପୋର୍ଟର ଟେବୁଲକୁ ଚଢିଲେ ବିରୋଧୀ ବିଧାୟକ
ଭୁବନେଶ୍ୱର, ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ମାନଙ୍କର ଭିନ୍ନ ଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଓ ନାରାବାଜୀ ଦେଖିବାକୁ ମିଳିଛି । ନାରାବାଜୀ ଓ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସୁରମା ପାଢୀ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଜାରୀ ରଖିଥିବା ବେଳେ କଂଗ୍ରେସ ବିଧାୟକ ପ୍ରଶ୍ନର ଉତର ଦେଉଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଉତର ଦେବାରୁ ରୋକିବାକୁ ଚେଷ୍ଟା କରିବାକୁ ନେଇ କଂଗ୍ରେସ ଦଳର ବିଧାୟକ ଓ ସରକାରୀ ଦଳର ବିଧାୟକ ମାନଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ଉତ୍ପନ୍ନ ହୋଇଥିବା ଦେଖିବାକୁ ମିଳିଥିଲା । ଏଭଳି ଅଭାବନୀୟ ପରିସ୍ଥିତି କାରଣରୁ ବାଚସ୍ପତି 11.03 ମିନିଟରୁ ଦିନ 12.30 ଯାଏ ଗୃହକୁ ମୁଲତବୀ ରଖିଥିଲେ ।
ଆଜି ମଧ୍ୟ ସୋମବାର ଭଳି ବିରୋଧୀ ବିଜେଡି ଓ କଂଗ୍ରେସ ଦଳର ବିଧାୟକ ମାନେ ନିର୍ଧାରିତ କାର୍ଯ୍ୟସୂଚୀ 10.30 ମିନିଟ ପୂର୍ବରୁ ବାଚସ୍ପତିଙ୍କ ପୋଡିୟମ ଆଗକୁ ଆସି ନାରାବାଜୀ ଓ ହଟ୍ଟଗୋଳ କରିଥିଲେ । ସେମାନଙ୍କର ହାତରେ ପ୍ଲାକାର୍ଡ ଥିଲା । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଦ୍ୱାରା ଦିଆଯାଇଥିବା ବକ୍ତବ୍ୟକୁ ବିରୋଧ କରି ବିଜେଡି ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିଲେ । ସେମାନେ ବିଭାଜନକାରୀ ଶକ୍ତି ମାନେ ସାବଧାନ ହୁଅ ପରି ଅନେକ ସ୍ଲୋଗାନ ପ୍ଲାକାର୍ଡରେ ଲେଖିଥିବା ଦେଖିବାକୁ ମିଳିଥିଲା । ସେହିପରି ରାଜ୍ୟରେ ଆଦିବାସୀ ମହିଳା ମାନଙ୍କର ସୁରକ୍ଷା ପ୍ରସଙ୍ଗରେ ହାତରେ ପ୍ଲାକାର୍ଡ ଧରି କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଜିଲ୍ଲାର ଆଦିବାସୀ ମହିଳା ମାନଙ୍କୁ ସୁରକ୍ଷା ଦେଇ ପାରିବେ ତ ଭଳି ଅନ୍ୟ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ କଂଗ୍ରେସ ବିଧାୟକ ମାନେ ଧରି ଥିଲେ ।
ଆଜି ମଧ୍ୟ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ବାରମ୍ବାର ଚଢୁଥିବା ଓ ସୁରକ୍ଷା କର୍ମୀ ମାନେ ତାଙ୍କୁ ଅଟକାଉଥିବା ଦେଖିବାକୁ ମିଳିଥିଲା । ବାଚସ୍ପତି ସୁରମା ପାଢୀ ବାରମ୍ବାର ବିରୋଧୀ ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯରେ ସହଯୋଗ କରିବାକୁ ନିବେଦନ କରୁଥିଲେ । ତେବେ ଆଜି ହଟ୍ଟଗୋଳ ସତ୍ୱେ ବାଚସ୍ପତି ଗୃହ କାର୍ଯ୍ୟ ଜାରୀ ରଖିଥିଲେ । ବିଜେପି ବିଧାୟକ ମାନଙ୍କର ପ୍ରଶ୍ନର ଉତର ମନ୍ତ୍ରୀ ମାନେ ଦେଉଥିଲେ ଓ ପରବର୍ତୀ ସମୟରେ ଅତିରିକ୍ତ ପ୍ରଶ୍ନର ମଧ୍ୟ ଉତର ଦେଉଥିଲେ। ତେବେ ହଟ୍ଟଗୋଳ କାରଣରୁ ମନ୍ତ୍ରୀଙ୍କ ଉତର ପ୍ରେସ ଗ୍ୟାଲେରୀକୁ ସ୍ପଷ୍ଟ ହୋଇ ପାରୁ ନ ଥିଲା ।
ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରି ବିଫଳ ହେବା ପରେ ବିରୋଧୀ ବିଧାୟକ ମାନେ ରିପୋର୍ଟର ଟେବୁଲକୁ ଚଢି ଯାଇଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ରିପୋର୍ଟର ମାନଙ୍କର ଇୟର ଫୋନକୁ ଜୋର ଜବରଦସ୍ତି ଖୋଲି ଦେଇଥିବା ଦେଖିବାକୁ ମିଳିଥିଲା ।
ଏସବୁ ସତ୍ବେ ବାଚସ୍ପତି ଶ୍ରୀମତୀ ପାଢୀ ପ୍ରଶ୍ନକାଳ ଜାରୀ ରଖିଥିଲେ । କଂଗ୍ରେସ ବିଧାୟକ ମାନେ ଶେଷରେ ପ୍ରଶ୍ନର ଉତର ଦେଉଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିକଟକୁ ଯାଇ ତାଙ୍କୁ ଉତର ଦେବାକୁ ବାଧା ଦେବାକୁ ଚେଷ୍ଟା କରିଥିଲେ । ଏହାକୁ ଦେଖି ଶାସକ ଦଳର ବିଧାୟକ ମାନେ ମଧ୍ୟ ସେଠାକୁ ପହଂଚି ଯାଇଥିଲେ । ଫଳରେ ଠେଲା ପେଲା ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ଏହାକୁ ଦେଖି ବାଚସ୍ପତି ଗୃହକୁ 12.10 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।