- 
ସ୍କୁଲ ନିକଟରେ ଚାଲୁଥିବା ମଦଦୋକାନ ତୁରନ୍ତ ସିଲ୍
 
ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ୩ଜଣିଆ ଟିମ୍ ଅଚାନକ ପାଟକୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ୍ ଯୋଗାଣ ଆଦିର ଅନୁଧ୍ୟାନ କରିଛନ୍ତି ।ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସ୍ୱତନ୍ତ୍ର ସଚିବ ଡି.ଏସ୍ .କୁଟ୍ଟେ, ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଓ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ । ଏହି ବରିଷ୍ଠ ଅଧିକାରୀମାନେ ପ୍ରତି ପଂଚାୟତର ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିଥିବାବେଳେ ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ସିଧାସଳଖ ଭେଟିଥିଲେ । ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହିତ ସେମାନଙ୍କ ଅଂଚଳରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟଜଳ, ସଡକ ଯୋଗାଯୋଗ ଓ ବିଦ୍ୟୁତ୍ ସେବା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ପାଟକୁରା ନିର୍ବାଚନମଣ୍ଡଳୀର ସାନ ଅଢଙ୍ଗ ଗ୍ରାମପଂଚାୟତର ଲୋକମାନେ ସ୍ୱତନ୍ତ୍ର ସଚିବ ଶ୍ରୀ କୁଟ୍ଟେ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଅନ୍ୟ ସ୍ଥାନରେ ଲାଇସେନ୍ସ ପାଇଥିବା ଗୋଟିଏ ମଦ ଦୋକାନ ବିଦ୍ୟାଳୟ ନିକଟରେ ଚାଲୁଛି । ଲୋକଙ୍କ ଅଭିଯୋଗ ପରେ ପରେ ବିଦ୍ୟାଳୟ ନିକଟରେ ଥିବା ତୁରନ୍ତ ଏହି ମଦ ଦୋକାନକୁ ସିଲ୍ କରିଦିଆଯାଇଛି ।
ଉଲ୍ଲେଖନୀୟ ଯେ ପାଟକୁରା ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜେ ଏହି ନିର୍ବାଚନମଣ୍ଡଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତଦନୁଯାୟୀ ଆଜି ଏହି ତିନି ବରିଷ୍ଠ ଅଧିକାରୀ ଅଚାନକ ଗସ୍ତ କରିଥିବା ଜଣାଯାଇଛି ।
                            
                        
	                    