ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ଆନନ୍ଦପୁର ବ୍ୟାରେଜ୍ ର ଲୋକାର୍ପଣ କରିଛନ୍ତି । ପ୍ରାୟ ୪୭୫କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀ ଉପରେ ଏହି ବ୍ୟାରେଜ୍ ନିର୍ମିତ ହୋଇଛି । ଏହି ବ୍ୟାରେଜର ଦୈର୍ଘ୍ୟ ୪୯୦ ମିଟର ହୋଇଥିବା ବେଳେ ଜଳଧାରଣ କ୍ଷମତା ୩୫୦ ଲକ୍ଷ ଘନ ମିଟର । ଏହି ବ୍ୟାରେଜ ଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡ଼ିହି ଓ ଘସିପୁରା ବ୍ଲକରେ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ସେହିପରି ବାଲେଶ୍ୱର ଜିଲ୍ଲାର ଖଇରା, ଔପଦା, ନୀଳଗିରି, ବହାନଗା, ବାଲେଶ୍ୱର ସଦର, ରେମୁଣା ଓ ସୋର ବ୍ଲକର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ ।ଏହି ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ବ୍ୟାରେଜ୍ ହେବା ଫଳରେ ଚାଷ ପାଇଁ ଜଳସେଚନ ସୁବିଧା ମିଳିବ । ଏହାଦ୍ୱାରା କେନ୍ଦୁଝର ଜିଲ୍ଲାର ତିନିଟି ବ୍ଲକ୍ ଏବଂ ବାଲେଶ୍ୱର ଜିଲ୍ଲାର ସାତଟି ବ୍ଲକର ଚାଷୀମାନେ ଉପକୃତ ହେବେ । ଆମେ ଲୋକଙ୍କୁ ସେବା ଯୋଗାଇ ଦେବାରେ ବିଶ୍ୱାସ କରୁ । ବିକାଶର ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଗେଇ ଚାଲିଛି ।
ଏହାପରେ ମୁଖ୍ୟମନ୍ତ୍ରୀ ବି.ଏନ୍ ହାଇସ୍କୁଲର ପ୍ଲାଟିନମ ଜୁୁବଲି କାର୍ଯ୍ୟକ୍ରମରେ ଯୋଗ ଦେବାପରେ ସେଠାରୁ ଆନନ୍ଦପୁରର ମିନି ଷ୍ଟାଡିୟମରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।