ଭୁବନେଶ୍ୱର- ମୁମ୍ବାଇରେ ଇସ୍କନ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କର ଅଦିନିଆ ରଥଯାତ୍ରା ଉପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜଗନ୍ନାଥଙ୍କ ରଥଯାତ୍ରା ପ୍ରତି ଏହା ଅପମାନ । ଆସନ୍ତା ବିଧାନସଭାରେ ଆମେ ଏହି ପ୍ରସଙ୍ଗ ଉଠାଇବୁ । ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେଥିନେଇ ମଧ୍ୟ ସରକାରଙ୍କ ପକ୍ଷରେୁ ବିଲ୍ ଅଣାଯିବା ଆବଶ୍ୟକ ।
ସେହିପରି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ଯେଉଁମାନେ ଏଭଳି ଅଦିନରେ ରଥଯାତ୍ରା କରିଛନ୍ତି ସେମାନଙ୍କୁ ରାଜ୍ୟ ସରକାର ଡାକି ଏହାର ସମାଧାନ କରନ୍ତୁ । ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନୀତି ଓ ପରମ୍ପରା ଯେପରି ଅକ୍ଷୂର୍ଣ୍ଣ ରହିବ ସେଥିପାଇଁ ଚେଷ୍ଟା କରାଯାଉ ।
ଅପରପକ୍ଷରେ ବିଜେଡି ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ରଥଯାତ୍ରା କରିବା ଦୋଷାବହ ନୁହେଁ । କିନ୍ତୁ ତାହା ରୀତି ନୀତିରେ ହେବା ଦରକାର । ମନଇଚ୍ଛା ଭାବେ ଏଭଳି କଲେ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରଭାବିତ ହେଉଛି ।