ପାରଳାଖେମୁଣ୍ଡି- ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜକୁ ଏକ କାର୍ ଭାରସାମ୍ୟ ହରାଇ ଖସିପଡିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଆନ୍ଧ୍ରପ୍ରଦେଶ କାକିନାଡ଼ାର ଏନଭିଏସ ପବନ (୩୨) ଓ ଖମାମର ବି. ଚନ୍ଦ୍ର (୪୫) । ସେହିପରି ଗୁରୁତର ମାନେ ହେଲେ କାକିନାଡ଼ାର ଏସ ପ୍ରବୀଣ, ବୋବିଲିର ଏସ. ମହେଶ୍ୱର ରାଓ ଏବଂ ମଗୋଲତୁରୁର ପି.ଭି. ଗିରିପ୍ରସାଦ ।
ସୂଚନା ଅନୁଯାୟୀ, ମୃତାହତ ସମସ୍ତେ ସାଙ୍ଗ ବାହାଘରରେ ଯୋଗଦେବା ପାଇଁ ପାରଳାଖେମୁଣ୍ଡି ଯାଇଥିଲେ । ରାତିରେ ସେମାନେ ପାରଳାଖେମୁଣ୍ଡିରୁ କାକିନାଡ଼ା ଫେରୁଥିବା ବେଳେ ଅନ୍ଧାର ଯୋଗୁଁ କାର୍ ଟି ବାଟବଣା ହୋଇ ପାରଳାଖେମୁଣ୍ଡି ଏବଂ ଶ୍ରୀକାକୁଲମ ମଝିରେ ଥିବା ଗୋଟା ବ୍ୟାରେଜ୍ ମଧ୍ୟକୁ ଖସି ପଡିଥିଲା । ଫଳରେ ଆଗ ସିଟ୍ ରେ ବସିଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପଛ ସିଟ୍ ରେ ବସିଥିବା ତିନି ଜଣ କୌଣସି ପ୍ରକାରେ କାର୍ ରୁ ବାହାରି ପହଁରି ପହଁରି କୂଳକୁ ଆସି ଜୀବନ ବଂଚାଇ ଥିଲେ । ଖବର ପାଇ ହିରମଣ୍ଡଳ ଥାନା ପୋଲିସ ସେଠାରେ ପହଂଚି ଦୁର୍ଘଟଣାଗ୍ରସ୍ତ କାର୍ ଓ ମୃତଦେହକୁ ଉଦ୍ଧାର କରିଛନ୍ତି । ଏଥିସହ ଆହତ ମାନଙ୍କୁ ଶ୍ରୀକାକୁଲମ ଡ଼ାକ୍ତରଖାନାରେ ଭର୍ତି କରିଛନ୍ତି ।