
ନୂଆଦିଲ୍ଲୀ/ଭୁବନେଶ୍ୱର,ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ ଐତିହ୍ୟ ପର୍ଯ୍ୟଟନର କେନ୍ଦ୍ର ଭାବରେ ଭାରତର ସ୍ଥାନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କୁ ପତ୍ର ଲେଖି ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା କରିବା ପାଇଁ ଅନୁରୋଧ କରିଛନ୍ତି । ଏହାସହ ଐତିହ୍ୟ ସ୍ଥାନ ଭୀମମଣ୍ଡଳୀର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଦାୟିତ୍ୱ ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଚିଠିରେ ଭୀମମଣ୍ଡଳୀ, ଦେବ୍ରିଗଡ଼ ଏବଂ ହୀରାକୁଦର ଐତିହ୍ୟ, ଇତିହାସ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଥିବା ଅପାର ସମ୍ଭବନା ଉପରେ ଉପରେ ବର୍ଣ୍ଣନା କରିଛନ୍ତି । ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ହୀରାକୁଦ ଡ୍ୟାମ ଠାରୁ ମାତ୍ର ୧୦୦ କିମି ଦୂରରେ ଅବସ୍ଥାପିତ ଭୀମମଣ୍ଡଳୀ ସ୍ଥାନୀୟ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥାନ । ଏହି ଭୀମମଣ୍ଡଳୀରେ ହଜାର ହଜାର ବର୍ଷ ପୂର୍ବର ପଥର ଚିତ୍ର ଓ ଶିଳାଲେଖ ରହିଛି । ଓଡ଼ିଶାର ପୁରାତନ ରକ୍ ଆର୍ଟ୍ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳର ବଡ ବଡ ପଥରରେ ହରିଣ, ହାତୀ, ବିଭିନ୍ନ ପଶୁଙ୍କ ପାଦଚିହ୍ନ ଓ ମହୁମାଛି ଆଦି ଚିତ୍ରାଙ୍କନ ରହିଛି । ଏହା ପ୍ରମାଣିତ କରୁଛି ଯେ, ଏହି ଅଞ୍ଚଳରେ ପୂର୍ବରୁ ଜନବସତି ଗଢି ଉଠିଥିଲା । ମହାଭାରତର ପାଣ୍ଡବଙ୍କ ସହ ଏହାର ସମ୍ପର୍କ ଥିବାରୁ ଭୀମଙ୍କ ନାମରେ ଏହି ସ୍ଥାନର ନାମକରଣ ହୋଇଥିବା ବିଶ୍ୱାସ ରହିଛି । ଐତିହାସିକ ଦୃଷ୍ଟିକୋଣ, ଅପରୂପ ସୌନ୍ଦର୍ଯ୍ୟ ଏବଂ ପୌରାଣିକ ସମ୍ପର୍କ ସହ ଜଡ଼ିତ ଅଞ୍ଚଳ ଭାବେ ଭୀମମଣ୍ଡଳୀ ଜଣାଶୁଣା, ଯାହା ଇତିହାସକାର, ପ୍ରକୃତି ପ୍ରେମୀ, ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଦୁଃସାହସିକ ପ୍ରବର୍ତ୍ତକମାନଙ୍କୁ ଆକର୍ଷିତ କରିଛି ।
ତେବେ ଭୀମମଣ୍ଡଳୀର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଅଭାବରୁ ଏହି ପ୍ରାଚୀନ ରକ୍ ଆର୍ଟ୍ ସ୍ଥଳୀ ଅବକ୍ଷୟ ଅବସ୍ଥାରେ ରହିଛି । ଅଧିକାଂଶ ରକ୍ ଆର୍ଟ ଏବେ ଲିଭିଯାଇଛି । ଭୀମମଣ୍ଡଳୀ ରକ୍ ଆର୍ଟର ଉପଯୁକ୍ତ ସୁରକ୍ଷା ଓ ସଂରକ୍ଷଣ ପାଇଁ ଏଏସଆଇ ପକ୍ଷରୁ ଏହାକୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରିବାକୁ ଐତିହାସିକ, ଐତିହ୍ୟ ସଂରକ୍ଷଣ ଓ ସ୍ଥାନୀୟ ସମ୍ପ୍ରଦାୟର ପକ୍ଷରୁ ଦାବି ହୋଇଛି । ଭୀମମଣ୍ଡଳୀର ଐତିହ୍ୟ ସ୍ଥଳର ଉପଯୁକ୍ତ ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଏଏସଆଇର ବୃତ୍ତିଗତ ଦକ୍ଷତା ଏବଂ ଆବଶ୍ୟକ ସମ୍ବଳର ସହଯୋଗର ଆବଶ୍ୟକତା ରହିଛି । ଏହି ପ୍ରାଚୀନ ଐତିହାସିକ ସମ୍ପଦକୁ ସୁରକ୍ଷିତ ରଖାଗଲେ ଭବିଷ୍ୟତ ପିଢ଼ିଙ୍କ ହିତରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଅନୁରୂପ ଭାବେ ହୀରାକୁଦ ଡ୍ୟାମ୍ ଓ ସଂଲଗ୍ନ ଜଳଭଣ୍ଡାର ମଧ୍ୟରେ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି। ଏହି ଅଭୟାରଣ୍ୟରେ ବିଭିନ୍ନ ପ୍ରକାରର ବନ୍ୟଜନ୍ତୁ ବସବାସ କରୁଥିବା ବେଳେ ସେଠାରେ ପୁରାତନ ଯୁଗର ଗୁରୁତ୍ୱପୂର୍ଣ୍ଣ ଉପକରଣ ଏବଂ କଳାକୃତି ରହିଛି । ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଏହା ଗୁରୁତ୍ୱ ରଖୁଥିବା ବେଳେ ଏହି ଅଞ୍ଚଳରେ ମଧ୍ୟ ଜନବସତି ଥିବା ସୂଚାଉଛି । ପର୍ଯ୍ୟଟନର ଅପାର ସମ୍ଭାବନା ରଖୁଥିବା ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ସ୍ୱଦେଶ ଦର୍ଶନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।
ଏହାବ୍ୟତିତ ମହାନଦୀ ଉପରେ ନିର୍ମିତ ବିଶ୍ୱର ସର୍ବବୃହତ ଡ୍ୟାମ ହୀରାକୁଦର ନିର୍ମାଣ ଶୈଳୀ ଏହାର ପରିସରରେ ବିଶାଳ ଜଳଭଣ୍ଡାର ଓ ସବୁଜ ପାହାଡ଼ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି । ସ୍ଥାୟୀ ଏବଂ ପରିବେଶ ପର୍ଯ୍ୟଟନ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ । ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା କରିବା ପାଇଁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।
ଉଲ୍ଲେଖନୀୟ ଯେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ମାସ ଫେବୃୟାରୀ ୨୫ରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଚମ୍ପାଳୀ ନଦୀ ନିକଟରେ ଐତିହାସିକ ଭୀମମଣ୍ଡଳୀ ସ୍ଥାନ ପରିଦର୍ଶନ କରିଥିଲେ । ଏଏସଆଇର ଅଧିକାରୀଙ୍କ ସହ ଏହି ଐତିହାସିକ ସ୍ଥାନର ଉତ୍ପତ୍ତି, ଐତିହ୍ୟ, ଇତିହାସ ଓ ମାନବ ସଭ୍ୟତାର ପ୍ରାମାଣିକ ତଥ୍ୟ ଉପରେ ଆଲୋଚନା କରିଥିଲେ ।