
ବଲାଙ୍ଗିର, ଜିଲ୍ଲା ଲେଖକ ପରିଷଦର ୧୭ତମ ବଲାଙ୍ଗୀର ବହିହାଟ- ୨୦୨୫ ଗତ ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ପରିଷଦର ସଭାପତି ମଳୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଚଳିତ ବହିହାଟର ମୁଖ୍ୟ ସଂଯୋଜକ ତଥା ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ଡ. ଶ୍ରୀକର ମିଶ୍ର । ସାହିତ୍ୟ ଆଲୋଚନାରେ ଶ୍ରୋତା କମ୍ ହେଉଥିବା ପରିପ୍ରେକ୍ଷୀରେ ସାଂକେତିକ ଭାବେ ଉଦାହରଣ ଦେବା ଛଳରେ ସେ ତାଙ୍କର ଉଦ୍ ବୋଧନରେ କହିଥିଲେ ଯେ, ଗୋଟିଏ ସ୍ଥାନରେ ଅସଂଖ୍ୟ ପକ୍ଷୀ ଥିଲେ ବି ଯଦି ସେମାନେ ନୀରବ ରହିଥାନ୍ତି, ତାହା ମୂଲ୍ୟହୀନ ଓ ଗୋଟିଏ ବି ପକ୍ଷୀର କାକଳୀ ଶୁଭୁଥାଏ, ତାହା ହିଁ ପ୍ରକୃତ ସଫଳତା । ତେଣୁ ଏଥରର ବଲାଙ୍ଗୀର ବହିହାଟକୁ ସଫଳ ହୋଇଛି ବୋଲି କୁହାଯିବ । ବଲାଙ୍ଗୀର ବହିହାଟ ନିଆରା । ଅନ୍ୟାନ୍ୟ ସ୍ଥାନର ପୁସ୍ତକମେଳା ଗୁଡିକ ଠାରୁ ଆମ ବଲାଙ୍ଗୀର ବହିହାଟରେ କୌଣସିଥିର ଅନୁକରଣ ନାହିଁ ।
ଅନ୍ୟ ମାନଙ୍କ ମଧ୍ୟରେ ପରିଷଦର ଉପ ସଭାପତି ମୁରଲୀଧାରୀ ପତି, ସମ୍ପାଦକ କପିଳେଶ୍ବର ଖମାରୀ, ଯୁଗ୍ମ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ, ସହ ସମ୍ପାଦକ ରଘୁନନ୍ଦନ ସିଂହ, ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓଙ୍କ ନୋମିନୀ ଦୀନେଶ ଶର୍ମା, ପୂବର୍ତନ ସମ୍ପାଦକ ଲେଖକ କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ଅଭିଭାଷଣ ଦେଇଥିଲେ । ସଂଯୋଜନା କରିଥିଲେ ସଭ୍ୟ ତଥା କଳାକାର ଧୀରେନ୍ଦ୍ର ନାରାୟଣ ସିଂହଦେଓ, ସ୍ବାଗତ ଭାଷଣ ଦେଇଥିଲେ ସଭ୍ୟା ତଥା କଣ୍ଠଶିଳ୍ପୀ ଓ କବୟତ୍ରୀ ଉଷାରାଣୀ ବାରିକ ଓ ଅତିଥି ପରିଚୟ ପ୍ରଦାନ କରି ଥିଲେ ସଭ୍ୟା ଅନୁପ୍ରିୟା ମିଶ୍ର ।
ଏହି ଅବସରରେ ବିଶିଷ୍ଟ ନାଟ୍ଯଗୁରୁ ସ୍ବର୍ଗତଃ କୃତ୍ତିବାସ ମେହେରଙ୍କୁ ମରଣୋତ୍ତର ସମ୍ମାନ, ମହିଳାଜ୍ୟୋତିଷ ମିତାଲି ମଧୁମିତା ମିଶ୍ରଙ୍କୁ ବିଶେଷ ସମ୍ମାନ ଓ ଚଳିତବର୍ଷର ‘ବହିହାଟ ସମ୍ମାନ ‘ ସୁଲେଖିକା ଡା ମଞ୍ଜୁବାଳା ପଣ୍ଡାଙ୍କୁ ପ୍ରଦାନ କରାଯାଇ ଥିଲା । ମାନପତ୍ର ପାଠ କରିଥିଲେ ଅଭିନେତା ହିମାଂଶୁ ଖମାରୀ । ଧନ୍ୟବାଦ ଅର୍ପଣ କରିଥିଲେ ଧୀରେନ୍ଦ୍ର ନାରାୟଣ ସିଂହଦେଓ ।