
-
ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀ ଗୋଟିଏ ଲେଖାଏଁ ଦୀପ ଜାଳିବାକୁ ଅନୁରୋଧ କଲେ
ଭୁବନେଶ୍ୱର– ମହିଳାଙ୍କ ସଶକ୍ତିକରଣ ପାଇଁ ଆସନ୍ତା କାଲି ୭ ତାରିଖ ସନ୍ଧ୍ୟାରେ ‘ସୁଭଦ୍ରା ସହାୟତା’ ପାଇଥିବା ହିତାଧିକାରୀମାନେ ମା’ସୁଭଦ୍ରାଙ୍କ ଆଶୀର୍ବାଦ ପାଇଁ ଗୋଟିଏ ଗୋଟିଏ ଦୀପ ଜାଳିବା ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିବେଦନ କରିଛନ୍ତି। ଗୁରୁବାର ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ପାର କରିବା ଅବସରରେ ଉପ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଗୋଟିଏ ସୁଭଦ୍ରା , ଗୋଟିଏ ଦୀପ ପାଇଁ ଆହ୍ୱାନ ଦେଇଛନ୍ତି।
ଏକ୍ସରେ ଶ୍ରୀମତୀ ପରିଡା ଲେଖିଛନ୍ତି ମା’ସୁଭଦ୍ରାଙ୍କ ଆଶୀର୍ବାଦରୁ ସରକାରକୁ ଆସିବାର ମାତ୍ର ୯ ମାସ ମଧ୍ୟରେ ମହିଳା ସଶକ୍ତିକରଣ ପାଇଁ ଜନ କଲ୍ୟାଣକାରୀ ଯୋଜନା ‘ସୁଭଦ୍ରା’କୁ ସଫଳତାର ସହ କୋଟିଏ ମହିଳାଙ୍କ ନିକଟରେ ପହଞ୍ଚାଇବା ଆମ ପାଇଁ ଏକ ଗୌରବର ବିଷୟ ଏବଂ ଆମ ପ୍ରତିବଦ୍ଧତାର ପରିଚୟ। ଆଜି ସୁଦ୍ଧା ୧କୋଟିରୁ ଉର୍ଦ୍ଧ୍ୱ ସୁଭଦ୍ରା ହିତାଧିକାରୀ ଉପକୃତ ହୋଇଛନ୍ତି ଏବଂ ୨ଲକ୍ଷ ୩୦ ହଜାରରୁ ଉର୍ଦ୍ଧ୍ୱ ନୂତନ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟରେ ୧୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି କ୍ଷ ଏବଂ ମାର୍ଚ୍ଚ ୮ ତାରିଖରେ ୨ୟ କିସ୍ତି ପ୍ରଦାନ କରାଯିବ।
ଖୁବ କମ ସମୟ ମଧ୍ୟରେ ବିନା କୌଣସି ଦ୍ୱିଧାରେ ସଫଳତାର ସହ ‘ସୁଭଦ୍ରା’କୁ ଘରେ ଘରେ ପହଞ୍ଚାଇବା ପାଇଁ ମା’ ସୁଭଦ୍ରା ଆମକୁ ଯେଉଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଛନ୍ତି ସେଥି ନିମନ୍ତେ ଆମ ପରିବାରର ମଙ୍ଗଳ ପାଇଁ, ଆମ ସମାଜ, ଆମ ରାଜ୍ୟ ଏବଂ ମହିଳାଙ୍କ ସଶକ୍ତିକରଣ ପାଇଁ ଆସନ୍ତା କାଲି ୭ ତାରିଖ ସନ୍ଧ୍ୟାରେ ‘ସୁଭଦ୍ରା ସହାୟତା’ ପାଇଥିବା ହିତାଧିକାରୀମାନେ ମା’ସୁଭଦ୍ରାଙ୍କ ଆଶୀର୍ବାଦ ପାଇଁ ଗୋଟିଏ ଗୋଟିଏ ଦୀପ ଜାଳିବା ପାଇଁ ଅନୁରୋଧ ।
‘ସୁଭଦ୍ରା’ ଆହୁରି ଆଗକୁ ଯାଉ, କେବଳ ସହାୟତା ରାଶି ନୁହେଁ ବରଂ ମହିଳାଙ୍କୁ ଟ୍ରେନିଂ ଦେବା, ସ୍କିଲ ବଢାଇବା ଏବଂ ତାଙ୍କ ନିର୍ମିତ ଉତ୍ପାଦର ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିବା ସହ ପ୍ରତି ଗ୍ରାମରେ ଲକ୍ଷପତି ଦିଦି ସୃଷ୍ଟି କରି ମହିଳାଙ୍କୁ ସାମାଜିକ ଓ ଅର୍ଥନୈତିକ ସ୍ତରରେ ସଶକ୍ତ କରିବା ଏବଂ ଓଡ଼ିଶାର ଅର୍ଥନୀତିକୁ ମହିଳା କୈନ୍ଦ୍ରିକ ଅର୍ଥନୀତିରେ ପରିଣତ କରିବା ପାଇଁ ମା’ସୁଭଦ୍ରା ଆମକୁ ଆଶୀର୍ବାଦ କରନ୍ତୁ ।