
ଭୁବନେଶ୍ୱର– ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ରେ ପଂଚାୟତିରାଜ ଦିବସ ପାଳନ ନିଷ୍ପତି ବିଜେପି ସରକାରଙ୍କ ହୀନ ମନ୍ୟତାକୁ ଦର୍ଶାଉଛି। ଓଡ଼ିଶାବାସୀଙ୍କ ପାଇଁ ଏହା ବହୁତ ବଡ ଅପମାନ। ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଏ ନିଷ୍ପତି ପରିବର୍ତନ ନ କରିବେ, ସେ ପର୍ଯ୍ୟନ୍ତ ଆମେ ଚୁପ ରହିଁବୁନି। ଆମେ ଲୋକଙ୍କ ପାଖକୁ ଯିବୁ। ଦରକାର ପଡିଲେ, ବିଜେଡି ରାଜରାସ୍ତାକୁ ଯିବ। ସାରା ଓଡ଼ିଶାର ଲୋକ ଏହାକୁ ପ୍ରତିବାଦ କରିବେ ବୋଲି ବିଜେଡିର ବରିଷ୍ଠ ମିଡ଼ିଆ ସଂଯୋଜକ ପ୍ରତାପ ଜେନା କହିଛନ୍ତି।
ସେ କହିଛନ୍ତି ତିନି ଦଶନ୍ଧିରୁ ମାର୍ଚ୍ଚ ୫ରେ ପଂଚାୟତିରାଜ ଦିବସ ପାଳନ ହୋଇ ଆସୁଛି। ବିଜେପି ମେଂଟ ସରକାର ସମୟରେ ବି ବିଜୁ ଜୟନ୍ତିରେ ହିଁ ପଂଚାୟତିରାଜ ଦିବସ ପାଳନ ହେଉଥିଲା। ବିଜୁ ବାବୁ ରାଷ୍ଟ୍ର ନେତା, ଯାହାଙ୍କ ମୃତଦେହରେ ତିନୋଟି ଦେଶର ପତାକା ରଖାଯାଇଥିଲା। ଓଡ଼ିଶା ବିକାଶରେ ସେ ବିଶ୍ୱକର୍ମା। ଏହି ମହାନ ବ୍ୟକ୍ତିଙ୍କ ଜନ୍ମଦିନରେ ପଂଚାୟତିରାଜ ଦିବସ ଏଥିପାଇଁ ପାଳନ ହୁଏ କାରଣ ସାରା ଭାରତରେ ପଂଚାୟତିରାଜ ବ୍ୟବସ୍ଥା ବିଜୁ ବାବୁ କରିଥିଲେ। ସେ କହୁଥିଲେ ପଂଚାୟତ ପ୍ରତିନିଧି ହେଉଛନ୍ତି ପଂଚାୟତର ମୁଖ୍ୟମନ୍ତ୍ରୀ। କ୍ଷମତା ବିକେନ୍ଦ୍ରିକରଣ କରି ଗ୍ରାମୀଣ ବିକାଶର ବାଟ ଫିଟାଇଥିଲେ ବିଜୁ ବାବୁ। ସେ ଭାରତର ପ୍ରଥମ ବ୍ୟକ୍ତି ଯିଏ ମହିଳା ମାନଙ୍କୁ ୩୩% ସଂରକ୍ଷଣ ଦେଇଥିଲେ। ବଜେପାୟୀଙ୍କ ପରି ମହାନ ନେତା ବିଜୁ ବାବୁଙ୍କ ସ୍ମୃତି ରକ୍ଷା ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ବିଜୁ ବାବୁଙ୍କ ନାଁରେ କରିଥିଲେ। ହେଲେ ଏବେ ସରକାର ପଂଚାୟତିରାଜ ଦିବସ ଘୁଂଚାଇବା ଓଡ଼ିଶା, ଓଡ଼ିଶାବାସୀଙ୍କ ପ୍ରତି ଅପମାନ।