
ଭୁବନେଶ୍ୱର – ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ଅତ୍ୟାଚାର ବୃଦ୍ଧି ଘଟଣାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଚରଣ ଦାସ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ ଉକ୍ତ ଘଟଣା ଗୁଡିକର ତଦନ୍ତ ଓ ଅନୁଧ୍ୟାନ କରିବା ପାଇଁ ପ୍ରଦେଶ କଂଗ୍ରେସ ତରଫରୁ ଏକ ତଥ୍ୟ ଅନୁଧ୍ୟାନକାରୀ ଦଳ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି । ଉକ୍ତ ତଥ୍ୟ ଅନୁଧ୍ୟାନକାରୀ ଦଳ ଗତକାଲି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡାରେ ଥିବା ଏସ୍.ଏସ୍.ଡି. ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତକରି ଉକ୍ତ ବିଦ୍ୟାଳୟରେ ଗତ ଫେବୃୟାରୀ ୨୪ ତାରିଖରେ ଏକ ଦଶମ ଶ୍ରେଣୀ ପଢ଼ୁଥିବା ନାବାଳିକା ଛାତ୍ରୀର ଅଘଟଣ ବିଷୟରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ, ଆବାସିକ ବିଦ୍ୟାଳୟର ମାଟ୍ରନ୍, ଏ.ଏନ୍.ଏମ୍. ଏବଂ ଅନ୍ୟ କର୍ମଚାରୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉକ୍ତ ଆଲୋଚନାରେ ଏହା ସ୍ପଷ୍ଟ ହୋଇଥିଲା ଯେ, ଆବାସିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଉପଯୁକ୍ତ ଯତ୍ନ ନିଆଯାଇ ନଥିଲା, ବିଦ୍ୟାଳୟର କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଓ ଅବହେଳା ଏବଂ ଛାତ୍ରୀମାନଙ୍କ ପ୍ରତି କର୍ତ୍ତବ୍ୟରେ ତ୍ରୁଟି ସ୍ପଷ୍ଟ ପ୍ରମାଣିତ ହୋଇଥିଲା ।
ବିଦ୍ୟାଳୟ ଗସ୍ତ ପରେ ଉକ୍ତ ଦଳ ପୀଡିତା ବାଳିକାର ନିଜ ଗାଁ ଦିଶାରୀଗୁଡା ଗସ୍ତ କରି ପୀଡ଼ିତାଙ୍କ ନିକଟ ସମ୍ପର୍କୀୟ ତଥା ପଡୋଶୀମାନଙ୍କ ସହିତ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ । ତଦ୍ ପଶ୍ଚାତ୍ ମାଲକାନଗିରି ଜିଲ୍ଲାର କଂଗ୍ରେସ ଦଳର ନେତୃବୃନ୍ଦ ଏବଂ ସାଧାରଣ ନାଗରିକ ମାନଙ୍କ ସହିତ ମଧ୍ୟ ଆଲୋଚନା କରି ଉକ୍ତ ଅଘଟଣର ତଥ୍ୟ ସଂଗ୍ରହ କରିଥିଲେ।୍ ଆଜି ପୂର୍ବାହ୍ନରେ ଉକ୍ତ ତଥ୍ୟ ଅନୁଧ୍ୟାନକାରୀ ଦଳ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ମାଲକାନଗିରି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଉକ୍ତ ଅଘଟଣ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଜିଲ୍ଲାପାଳ ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ଓ ଭବିଷ୍ୟତରେ ଏହାର ପୁନରାବୃଦ୍ଧି ହେବନାହିଁ ବୋଲି ପ୍ରତିଶୃତି ଦେଇଥିଲେ । ଏହା ରାଜ୍ୟ ସରକାରଙ୍କର ପ୍ରଶାସନିକ ସ୍ଥାଣୁତା, ଦୂରଦୃଷ୍ଟିର ଅଭାବ ଏବଂ ନାରୀ ମାନଙ୍କ ପ୍ରତି ଅତ୍ୟାଚାର ମନୋଭାବର ସ୍ପଷ୍ଟ ଅବଲୋକନ ବୋଲି ପ୍ରମାଣିତ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଗସ୍ତ ଏବଂ ଆଲୋଚନା ସମୟରେ କଂଗ୍ରେସ ବିଧାୟକ ଦଳ ନେତାରାମଚନ୍ଦ୍ର କାଡାମ୍, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ତଥ୍ୟ ଅନୁସନ୍ଧାନକାରୀ ଦଳର ସଦସ୍ୟ ତଥା ଆଇନଜୀବି ସୁଜିତ ପାଢ଼ି, ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗୋ, ଆଇନଜୀବି ମାନସ ମଲ୍ଲିକ, ଡାଃ. ଲିପିକା ମାଝୀ, ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।