
ଭୁବନେଶ୍ୱର: ପ୍ରଶାସନିକ ଅଧିକାରୀ ତଥା ଶାସନ ସଚିବ ସତ୍ୟ ପ୍ରକାଶ ନନ୍ଦଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, “ମୁଁ ଯେତେବେଳେ ଶିଳ୍ପ ମନ୍ତ୍ରୀ ଥିଲି, ସେହି ସମୟରେ ସତ୍ୟ ପ୍ରକାଶ ନନ୍ଦ ଶିଳ୍ପ ସଚିବ ଭାବେ ସୂଚାରୂପେ ଦାୟିତ୍ଵ ନିର୍ବାହ କରିଥିଲେ । ବ୍ୟକ୍ତିଗତ ଭାବେ ସେ ଜଣେ ଭଦ୍ର, ନିର୍ମଳ ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କର ଦୀର୍ଘ ୩୬ ବର୍ଷରୁ ଅଧିକ କାର୍ଯ୍ୟକାଳ ମଧ୍ୟରେ କୃଷି ଉତ୍ପାଦନ କମିଶନର, ଶିଳ୍ପ, ଗୃହ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଉଚ୍ଚଶିକ୍ଷା, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଚେୟାରମ୍ୟାନ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟକରି ବିଭାଗ ଗୁଡ଼ିକରେ ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ।
ଅବସର ପରବର୍ତ୍ତୀ ସମୟରେ ମଧ୍ୟ ସେ ଅନେକ ସମୟରେ ମୋ ସହ ଯୋଗାଯୋଗରେ ରହୁଥିଲେ । ସେହିଭଳି, ଗତକାଲି ସକାଳେ ଆମର ଫୋନ ଯୋଗେ ବାର୍ତ୍ତାଳାପ ହୋଇଥିଲା ଏବଂ ସେ ମତେ ଦେଖା କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଆଜି ସୋମବାର ତାଙ୍କ ସହ ମୋର ସାକ୍ଷାତ ହୋଇଥାନ୍ତା । କିନ୍ତୁ ଦୁର୍ଭାଗ୍ୟ ବଶତଃ, କାଲି ରାତିରେ ହିଁ ମୁଁ ଖବର ପାଇଲି ଯେ, ସତ୍ୟ ପ୍ରକାଶ ଆଉ ଇହଧାମରେ ନାହାଁନ୍ତି । ତାଙ୍କର ଆକସ୍ମିକ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ଗଭୀର ଭାବେ ମର୍ମାହତ । ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି ।
ଦିବଂଗତ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଲୋତକାପ୍ଳୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ପ୍ରଭୁ ଏସ ପି ନନ୍ଦଙ୍କ ପରିବାରକୁ ଅସୀମ ଧର୍ଯ୍ୟ, ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ।”