
ବଲାଙ୍ଗିର, ଜିଲ୍ଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ପୂର୍ବତନ ସଭାପତି ତଥା ସମାଜସେବୀ ବନବାସ ମହାପାତ୍ର(୮୪)ଙ୍କର ଶୁକ୍ରବାର ରାତିରେ ନିଜ କ୍ଲବପଡାସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ କିଛିକାଳ ଅସୁସ୍ଥ ଥିଲେ। ଶନିବାର ସକାଳେ ବିଭୂତିପଡା ଶ୍ମଶାନରେ ତାଙ୍କ ଶେଷକୃତ୍ଯ ସମ୍ପନ୍ନ ହୋଇଥିଲା। କଟକରେ କାର୍ଯ୍ୟରତ ତାଙ୍କ ଏକମାତ୍ର ପୁତ୍ର ବଳରାମ ମହାପାତ୍ର ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ମହାପାତ୍ରଙ୍କର ପତ୍ନୀ ଜୟକଢି, ପୁତ୍ରବଧୂ ବାସନ୍ତୀ, ଦୁଇ ଝିଅ ରୁକ୍ମିଣୀ ଓ ଭବାନୀ, ଜାମାତା ଜିତେନ୍ଦ୍ରିୟ ଦାଶ, ନାତି ଶ୍ରୀତମ ଓ କୌଶିକ, ନାତୁଣୀ ମେଘାରାଣୀ, ସ୍ବସ୍ତିକା ଓ ସଞ୍ଚିତା ଅଟନ୍ତି।
ସୂଚନାଯୋଗ୍ୟ, ସ୍ବର୍ଗତ ମହାପାତ୍ର ସତୁରୀ ଦଶକରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କର ନେତୃତ୍ବ ନେଇ ସେମାନଙ୍କର ଅନେକ ସମସ୍ୟା ସମାଧାନ କରାଉଥିଲେ। ରକ୍ତଦାନ ପରି ସମାଜ ସେବାରେ ସଂପୃକ୍ତ ଥିଲେ। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରର ପରିକ୍ରମାର ନବଗ୍ରହ ଦେବୀଙ୍କ ସ୍ଥାପନାରେ ତାଙ୍କ ଅବଦାନ ରହିଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।