
ବଲାଙ୍ଗିର, ଗତକାଲି ୧୭ତମ ବଲାଙ୍ଗୀର ବହିହାଟର ଷଷ୍ଠ ସନ୍ଧ୍ୟାରେ ‘ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡିଆର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ବିଷୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ସ୍ଥାନୀୟ କୋଶଳକଳା ମଣ୍ଡଳ ପଡିଆ ଠାରେ ଆୟୋଜିତ ଏହି ଉତ୍ସବରେ ଆଲୋଚକ ଭାବରେ ଗୁରୁଶ୍ରୀ ଘାସିରାମ ମିଶ୍ର, ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ,ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଓ ଶିକ୍ଷାବିତ୍ ସରସ୍ଵତୀ ନନ୍ଦ ମଞ୍ଚାସୀନ ରହି ନିଜ ଅଭିଭାଷଣ ରେ କଳା, ସାହିତ୍ୟ ଓ ସଂସ୍କୃତି ର ମୁକସାକ୍ଷୀ ତଥା ସ୍ମୃତିର ପ୍ରତୀକ କଳା ମଣ୍ଡଳ ପଡିଆର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଆମ ସମସ୍ତଙ୍କ ଦାୟିତ୍ଵ ବୋଲି କହିଥିଲେ l ବଲାଙ୍ଗୀରରେ କଳା, ସଂସ୍କୃତି ର ବିକାଶ ପାଇଁ ତତ୍କାଳୀନ ପାଟନା ମହାରାଜ ବଲାଙ୍ଗୀର ବାସୀଙ୍କ ଉଦ୍ଦେଶ୍ଯରେ ଏହାର ନିର୍ମାଣ କରିଥିଲେ l ଅତୀତରେ ଏହି କଳା ମଣ୍ଡଳ ପଡିଆ ଅନେକ କଳାକାରଙ୍କୁ ସ୍ରୁଷ୍ଟି କରିଛି l ତେବେ ବର୍ତ୍ତମାନ କଳା ସଂସ୍କୃତି ନାଁ ରେ ଏହି ଅପସଂସ୍କୃତି ର ଅପପ୍ରଚାର କରାଯିବା ଏହର ପୂର୍ବ ଗୌରବକୁ ନଷ୍ଟ କରୁଛି ବୋଲି ବକ୍ତାମାନେ କହିଥିଲେ l ଲେଖକ ପରିଷଦର ସଭାପତି ମଳୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପରିଷଦର ସହ ସମ୍ପାଦକ ରଘୁ ନନ୍ଦନ ସିଂହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ମହେନ୍ଦ୍ର ଦର୍ଜି ପ୍ରାରମ୍ଭିକ ସୂଚନା ଦେଇଥିଲେ l ଏହି ଅବସରରେ ପ୍ରାଧ୍ୟାପକ ଡ. ରଞ୍ଜନ କୁମାର ପାଣିଗ୍ରାହୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ଵର୍ଦ୍ଧିତ କରାଯାଇ ଥିଲା l ଶେଷରେ ଜିଲ୍ଲା ଲେଖକ ପରିଷଦର ଧୀରେନ୍ଦ୍ର ନାରାୟଣ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ l ଆଜି ବହିହାଟର ସପ୍ତମ ଦିନ ଅପରାହ୍ନ ୨ଟା ସମୟରେ ଏକ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି l