
-
ଆୟ 1022 କୋଟି, ବ୍ୟୟ 1001 କୋଟି
-
2025-26 ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ବଳକା ବଜେଟ୍
-
ଉତ୍ତମଙ୍କ ବିୟୋଗରେ ବିଏମ୍ ସି କର୍ପୋରେସନ ବୈଠକରେ ହେଲା ନୀରବ ପ୍ରାର୍ଥନା
ଭୁବନେଶ୍ଵର ,ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ହଜାରେ କୋଟି ଟଙ୍କାର ବଜେଟକୁ ଅନୁମୋଦନ ମିଳିଛି । 2025-26 ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରୁ ମୋଟ ଆୟ 1022 କୋଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବ୍ୟୟ 1001 କୋଟି ଆକଳନ କରାଯାଇଛି । ସବୁଠାରୁ ଅଧିକ ଆୟ, ରାଜସ୍ୱ ଅନୁଦାନ ଏବଂ ସବସିଡରୁ 469 କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ପୁଞ୍ଜିଭୁକ୍ତ ଅନୁଦାନରୁ 255 କୋଟି ଏବଂ ରାଜସ୍ୱ ଓ ଅନ୍ୟାନ୍ୟ ଆୟରୁ 280 କୋଟି ମିଳିବ ବୋଲି ଆକଳନ କରାଯାଇଛି ।
ସେହିପରି ଚଳିତ ଆର୍ଥିକ ବର୍ଷରେ ସ୍ଥାୟୀ ସଂପତ୍ତି ଅଧିଗ୍ରହଣ ଓ କ୍ରୟ ବାବଦରେ ସର୍ବାଧିକ 379 କୋଟିରୁ ଅଧିକ ଟଙ୍କା ବ୍ୟୟ ଆକଳନ କରାଯାଇଥିବା ବେଳେ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ବାବଦରେ ମୋଟ 301 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।
ଚଳିତ ବର୍ଷ ଆୟ 1022 କୋଟି ଏବଂ 2023-24 ଆର୍ଥିକ ବର୍ଷରୁ ବଳକା ଥିବା 147 କୋଟିକୁ ମିଶାଇ ମୋଟ 1169 କୋଟି ଟଙ୍କା ଆୟ ଆକଳନ କରାଯାଇଛି । ସେହିପରି ଚଳିତ ବର୍ଷ ବିଭିନ୍ନ ବାବଦରେ ମୋଟ 1001 କୋଟି ବ୍ୟୟ ବରାଦ କରାଯାଇଛି । ଅର୍ଥାତ୍ 2025-26 ଆର୍ଥିକ ବର୍ଷ ପାଇଁ 168 କୋଟି ଟଙ୍କା ବଳକା ରହିବ ବୋଲି ଏହି ବଜେଟରେ ଆକଳନ କରାଯାଇଛି ।
ଆଜିର ଏହି ସ୍ୱତନ୍ତ୍ର ବଜେଟ୍ ଅନୁମୋଦନ ବୈଠକରେ ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାଜକିଶୋର ଦାସ ବଜେଟ୍ ଉପସ୍ଥାପନ କରିଥିଲେ । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶୁଭେନ୍ଦୁ କୁମାର ସାହୁ, ସସ୍ମିତା ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାୟକ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।
ପରେ ଆରମ୍ଭ ହୋଇଥିଲା ସାଧାରଣ ଅଧିବେଶନ । କମିଶନର ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ପରେ ମାନନୀୟା ଡେପୁଟି ମେୟର, ମେୟର ସେମାନଙ୍କର ଅଭିଭାଷଣ ପ୍ରଦାନ ପରେ ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବଜେଟ୍ ବ୍ୟାଗ୍ ମାନନୀୟା ମେୟରଙ୍କୁ ପ୍ରଦାନ ପୂର୍ବକ ଗୃହରେ ଉପସ୍ଥାପନ କରିଥିଲେ । 1022.58 କୋଟି ଟଙ୍କା ଆୟ ଏବଂ 1001.40 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବଜେଟକୁ ସଦସ୍ୟମାନେ ଟେବୁଲ୍ ବାଡେଇ ସମର୍ଥନ କରିଥିଲେ । ଏହା ଏକ ଲୋକାଭିମୁଖୀ ଏବଂ ବିକାଶଉନ୍ମୋଖି ବଜେଟ୍ ବୋଲି କହିଥିଲେ । ପରେ ଏଜେଣ୍ଡା ଅନୁଯାୟୀ ଆଲୋଚନା ଆରମ୍ଭ ହୋଇଥିଲା ।
ଆଜିର ବୈଠକରେ ମାନ୍ୟବର ସଦସ୍ୟ, ସଦସ୍ୟା ଓ ଉପବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଆଗତ ମୋଟ 16ଗୋଟି ପ୍ରସ୍ତାବ ଗୃହରେ ଉପସ୍ଥାପନ କରାଯାଇଥିଲା । ଏ ସମସ୍ତ ପ୍ରସ୍ତାବ ଉପରେ ଆଲୋଚନା କରାଯିବା ପରେ ଗୃହର ସ୍ୱୀକୃତି ଲାଭ କରିଥିଲେ ।
ପରେ ଆରମ୍ଭ ହୋଇଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ଆଜିର ବୈଠକରେ କଠିନ ବର୍ଜ୍ୟ ପରିଚାଳନା, ଡ୍ରେନଗୁଡିକରେ ଭାଙ୍ଗିଯାଇଥିବା ସ୍ଲାବ, ଓ୍ୱାର୍ଡ ଅଫିସ ଗୃହ ନିର୍ମାଣ ସମେତ ବିଭିନ୍ନ ଓ୍ୱାର୍ଡରେ ଥିବା ସମସ୍ୟା ସଂପର୍କରେ ସଦସ୍ୟ ସଦସ୍ୟାମାନେ ପ୍ରଶ୍ନ କରିଥିଲେ । ସେମାନଙ୍କର ଉତ୍ତର କମିଶନର ଓ ମେୟରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଲିଖିତ ଉତ୍ତର ଦେଇଥିଲେ ।
ଏହା ବ୍ୟତୀତ ଚନ୍ଦ୍ର ଶେଖରପୁର କଲ୍ୟାଣ ମଣ୍ଡପର ଉନ୍ନତିକରଣ, ଯାତ୍ରୀ ନିବାସର ନବୀକରଣ ଏବଂ ସହିଦ ନଗରରେ ଅଡିଟୋରିୟମ ନିର୍ମାଣ କାମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ତେବେ ବିଶେଷଜ୍ଞମାନଙ୍କର ପରାମର୍ଶ ନେଇ ଏହି କାମରେ ଆଗେଇବା ବୋଲି କହିଛନ୍ତି କମିଶନର । ସଂପ୍ରତି ସହର ବିଭିନ୍ନ ସ୍ଥାନରେ ବୋରଓ୍ୱେଲ ଖୋଳାଯାଉଛି । ଏହାର ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବା ପାଇଁ କୁହାଯାଇଛି ।
ଏହି ଅବସରରେ ଓଡିଆ ଚଳଚ୍ଚିତ୍ର ଜଗତର ପ୍ରଥିତଯଶା ଚିତ୍ରତାରକା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମାନନୀୟା ମେୟର ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସର୍ବ ସମ୍ମତିକ୍ରମେ ଏହା ଗୃହୀତ ହେବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ।