
-
ଉତ୍ତମ ଏବଂ ପୁନଃପ୍ରୟୋଗଭିତ୍ତିକ କାର୍ଯ୍ୟଶୈଳୀ ଏବଂ ଅଭିନବୀକରଣ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
-
ଓଡ଼ିଶା ସରକାର ସମସ୍ତ ନାଗରିକଙ୍କ ପାଇଁ ଏକ ସୁସ୍ଥ ଓ ସମତାପୂର୍ଣ୍ଣ ଭବିଷ୍ୟତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ:
-
ନିକଟ ଭବିଷ୍ୟତରେ ୫ ହଜାର ଡାକ୍ତର ପଦବୀ ପୂରଣ କରିବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
-
ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଏକ ସାମୁହିକ ଆଭିମୁଖ୍ୟ ସହିତ ପରିବର୍ତ୍ତନ କରିବାକୁ ହେବ:
-
ଜନସ୍ୱାସ୍ଥ୍ୟ ଅଭିଯାନ ଏବଂ ନୀତି ସମୂହକୁ ଅଧିକରୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଜନପ୍ରତିନିଧିଙ୍କ ସହ ମିଶି କାର୍ଯ୍ୟ କରନ୍ତୁ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେପି ନଡ୍ଡା
-
ଓଡ଼ିଶା କ୍ୟାନସର କେୟାର କାର୍ଯ୍ୟକ୍ରମ ସମସ୍ତ କର୍କଟ ରୋଗୀଙ୍କ ପାଇଁ କେମୋଥେରାପି ସୁନିଶ୍ଚିତ କରିବ : ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ
ପୁରୀ/ଭୁବନେଶ୍ଵର, ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ସୁସ୍ଥ ଓ ସବଳ ଭବିଷ୍ୟତ ପାଇଁ ଚାଲିଥିବା ଅଭିଯାନ ସହ ତାଳ ଦେଇ ଓଡ଼ିଶା ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ଉନ୍ନତି ଓ ସଂସ୍କାର ଆଣୁଛନ୍ତି । ଏଥି ସହ ସରକାର ରାଜ୍ୟବାସୀଙ୍କ ପାଇଁ ଏକ ସୁସ୍ଥ ଏବଂ ସମତାପୂର୍ଣ୍ଣ ଭବିଷ୍ୟତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଉତ୍ତମ ଏବଂ ପୁନଃପ୍ରୟୋଗଭିତ୍ତିକ କାର୍ଯ୍ୟଶୈଳୀ ଏବଂ ଅଭିନବୀକରଣ’ ଉପରେ ଆୟୋଜିତ ନବମ ଜାତୀୟ ଶିଖର ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଶ୍ରୀକ୍ଷେତ୍ର ପୁରୀରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରାଜ୍ୟରେ ଚାଲିଥିବା ସ୍ୱାସ୍ଥ୍ୟ ଅଭିଯାନର ସଫଳତା ପାଇଁ ସହାୟକ ହେବ ଏବଂ ଜାତୀୟ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବ ।
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିବା ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ, ଯାହା ଦ୍ୱାରା ଦେଶର ୨୯,୦୦୦ ତାଲିକାଭୁକ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ନାଗରିକମାନେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଏହି ପଦକ୍ଷେପ ପ୍ରବାସୀ ଶ୍ରମିକଙ୍କ ସମେତ ସମସ୍ତ ନାଗରିକଙ୍କୁ ଉପକୃତ କରିବା ସହ ଓଡ଼ିଶାକୁ ଜାତୀୟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସହ ଯୋଡ଼ି ରାଜ୍ୟର ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ପରିବେଶକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି ।
ରାଜ୍ୟରେ ନୂତନ ୩୫୩୭ ଜଣ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ସମ୍ପର୍କରେ ଆଲୋକପାତ କରିବା ସହ ନିକଟ ଭବିଷ୍ୟତରେ ୫ହଜାର ଡାକ୍ତର ପଦବୀ ପୂରଣ ପାଇଁ ରହିଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।
ସୁସ୍ଥ ଓଡ଼ିଶା ପାଇଁ ଆମର ସ୍ୱପ୍ନ କାଳଜୟୀ ସଂସ୍କୃତ ବାଣୀ ‘ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ’ରୁ ପ୍ରେରିତ- ସମସ୍ତେ ଖୁସି ହୁଅନ୍ତୁ, ସମସ୍ତେ ରୋଗମୁକ୍ତ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଲ୍ଲେଖ କରିଥିଲେ ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ପ୍ରକାଶ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଳିଷ୍ଠ ନେତୃତ୍ୱରେ ଭାରତ ସରକାର ପ୍ରତିଷେଧକ, ଉତ୍ସାହଜନକ ଏବଂ ବ୍ୟାପକ ପଦକ୍ଷେପ ଉପରେ ଧ୍ୟାନ ଦେଇ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ବିପ୍ଳବ ଆଣିବା ପାଇଁ ନିଜର ପ୍ରତିବଦ୍ଧତାରେ ଅଟଳ ଅଛନ୍ତି । ଏହି ପଦକ୍ଷେପଗୁଡ଼ିକ କେବଳ ସ୍ୱାସ୍ଥ୍ୟସେବା ଆହ୍ୱାନର ମୁକାବିଲା କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଉତ୍ସର୍ଗୀକୃତ ଆଶା କର୍ମୀଙ୍କ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରର କର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜାତୀୟ ସ୍ୱାସ୍ଥ୍ୟ ନୀତିରେ ଏକ ସମୁଜ୍ଜ୍ଵଳ ଭବିଷ୍ୟତର ପରିକଳ୍ପନା କରାଯାଇଛି; ଯାହା ମାଧ୍ୟମରେ ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟ ବା ସର୍ବୋଚ୍ଚ ପର୍ଯ୍ୟାୟ ସ୍ୱାସ୍ଥ୍ୟସେବା କ୍ଷେତ୍ର ସାମଗ୍ରିକ ଭାବରେ ବିକଶିତ ହେବ ଏବଂ ପ୍ରତ୍ୟେକ ସ୍ତରରେ ସକାରାତ୍ମକ ପରିବର୍ତ୍ତନ ଆସିବ ।
ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଭାରତ ବର୍ଷ ପାଖରେ ଆର୍ଥିକ ସମ୍ବଳର ଅଭାବ ନାହିଁ । ସ୍ୱପ୍ନର ସଂକଳ୍ପକୁ ସିଦ୍ଧିରେ ରୂପାନ୍ତରିତ କରିବା ପାଇଁ ସବୁ ମହଲରୁ ସକାରାତ୍ମକ ଓ ବ୍ୟାବହାରିକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ତୃଣମୂଳ ସ୍ତରର କର୍ମୀ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଳାନ୍ତ ପ୍ରୟାସ ଯୋଗୁଁ ଶିଶୁ ମୃତ୍ୟୁ ହାର (ଆଇଏମଆର), ମାତୃ ମୃତ୍ୟୁ ହାର (ଏମଏମଆର), ମ୍ୟାଲେରିଆ, ଯକ୍ଷ୍ମା ଏବଂ ୫ ବର୍ଷରୁ କମ୍ ବୟସର ଶିଶୁ ମୃତ୍ୟୁହାର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ସୂଚକାଙ୍କରେ ଉଲ୍ଲେଖନୀୟ ସଫଳତା ପରିଲିକ୍ଷିତ ହେଉଛି । ଜନସ୍ୱାସ୍ଥ୍ୟ ଅଭିଯାନ ଓ ନିତିନିଷ୍ପତ୍ତିର ପ୍ରଭାବକୁ ସମ୍ପ୍ରସାରିତ କରିବା ପାଇଁ ଜନପ୍ରତିନିଧିଙ୍କ ସହ ମିଶି କାର୍ଯ୍ୟ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗଗୁଡ଼ିକୁ ପ୍ରୋତ୍ସାହିତ କରିଥିଲେ। ଏହାର ଉଜ୍ଜ୍ୱଳ ଉଦାହରଣ ସ୍ୱରୂପ ସେ ପୁରୀ ସାଂସଦ ତଥା ଶିଖର ସମ୍ମିଳନୀର ଅନ୍ୟତମ ଅତିଥି ଡ. ସମ୍ବିତ ପାତ୍ରଙ୍କ ଉଦାହରଣ ଦେଇଥିଲେ, ଯିଏ କି ସାଂସଦ ହେବା ପୂର୍ବରୁ ଜଣେ ଡାକ୍ତର ଥିଲେ। ଡାକ୍ତର ପାତ୍ରଙ୍କ ଭଳି ଲୋକଙ୍କ ଅଭିଜ୍ଞତା ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଆଇନପ୍ରଣୟନକାରୀଙ୍କ ନିକଟତର କରି ଅଧିକ ପ୍ରଭାବଶାଳୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
ଗୁଣାତ୍ମକ କର୍କଟ ଚିକିତ୍ସାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ‘କ୍ୟାନସର ଡେ କେୟାର ସେଣ୍ଟର’ ପ୍ରତିଷ୍ଠା କରିବା କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ଐତିହାସିକ ପଦକ୍ଷେପ । ଟେଲିମେଡିସିନ୍ ସେବା ମାଧ୍ୟମରେ ଭାରତର ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା, ଦୂର ଦୂରାନ୍ତରେ ରହୁଥିବା ବ୍ୟକ୍ତିମାନେ ଯେପରି ଆବଶ୍ୟକୀୟ ଚିକିତ୍ସା ସେବା ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଦେଶବ୍ୟାପୀ ପ୍ରୟାସ କରାଯାଉଥିବା ସେ ପ୍ରକାଶ କରିଥିଲେ ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ସ୍ୱାସ୍ଥ୍ୟ ସମାନତା ଏବଂ ଉପଲବ୍ଧତା ପ୍ରତି ଆମର ଅତୁଟ ପ୍ରତିବଦ୍ଧତା ଯୋଗୁଁ ଓଡ଼ିଶା ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଦିଗରେ ଯଥେଷ୍ଟ ଅଗ୍ରଗତି କରୁଛି । ସଂସ୍ଥାଗତ ପ୍ରସବ ବୃଦ୍ଧି, ହ୍ରାସ ପାଉଥିବା ଶିଶୁ ମୃତ୍ୟୁ ହାର (ଆଇଏମଆର) ଏବଂ ମାତୃ ମୃତ୍ୟୁ ହାର (ଏମଏମଆର) ଆମର ଉତ୍ସର୍ଗୀକୃତ ପ୍ରୟାସର ପ୍ରମାଣ । ୯୦.୫% ହାର ସହ ପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଆମେ ପ୍ରତ୍ୟେକ ନାଗରିକଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଦିଗରେ ଆଗେଇ ଚାଲିଛୁ ବୋଲି ସେ କହିଥିଲେ ।
ଏହାବ୍ୟତୀତ ଓଡ଼ିଶା କର୍କଟ ଚିକିତ୍ସା କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକର ୩୨ଟି କେନ୍ଦ୍ରରେ କର୍କଟ ରୋଗୀଙ୍କୁ କେମୋଥେରାପି ଉପଲବ୍ଧ କରାଇବା ସହ ଗରିବ ଲୋକମାନଙ୍କୁ ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇବାରେ ସକ୍ଷମ ହେଉଛି ବୋଲି ମନ୍ତ୍ରୀ ଡ଼ଃ ମହାଲିଙ୍ଗ କହିଛନ୍ତି।
ଶିଖର ସମ୍ମିଳନୀରେ ଦେଶର ବରିଷ୍ଠ ଅଧିକାରୀମାନେ ଭାରତର ସ୍ୱାସ୍ଥ୍ୟସେବାରେ ଉନ୍ନତି ଦିଗରେ ରହିଥିବା ସେମାନଙ୍କର ଅର୍ନ୍ତଦୃଷ୍ଟି ଏବଂ ଅନୁଭୂତି ଉପରେ ଆଲୋକପାତ କରିଥିଲେ ।
ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହେଉଛି ତୃଣମୂଳସ୍ତରରେ ପାରଦର୍ଶିତା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି । ସ୍ଥାନୀୟ ଅନୁଷ୍ଠାନଗୁଡ଼ିକୁ ସଶକ୍ତ କରିବା ଏବଂ ଗୋଷ୍ଠୀ ସ୍ତରରେ ସ୍ୱାସ୍ଥ୍ୟସେବା ମାନକରେ ଉନ୍ନତି ଆଣିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ।
ଜାତୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ଶାସନ ସଚିବ ତଥା ଏମଡି ଆରାଧନା ପଟ୍ଟନାୟକ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଏବଂ ଉପଲବ୍ଧତା ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି କହିଲେ ଯେ, ସରକାର ଔଷଧ ଏବଂ ନିଦାନର ଉନ୍ନତି ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ।
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଅଶ୍ୱତୀ ଏସ୍ ଧନ୍ୟବାଦ ଅର୍ପଣ କରିବା ସହ ଶିଖର ସମ୍ମିଳନୀରେ ମୂଲ୍ୟବାନ ଅବଦାନ ପାଇଁ ସମସ୍ତ ଅଂଶଗ୍ରହଣକାରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହି ସମ୍ମିଳନୀରେ ଭାରତ ସରକାର, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆମନ୍ତ୍ରିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ, ଯେଉଁମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।