
-
ରାଜ୍ୟର ୧୬ ଟି ଜିଲ୍ଲାର ୨୪ଟି ଶିଳ୍ପାନୁଷ୍ଠାନଠାରେ ମକ୍ ଏକ୍ସରସାଇଜ ଅନୁଷ୍ଠିତ
ଭୁବନେଶ୍ୱର, ରାସାୟନିକ ବିପର୍ଯ୍ୟୟର ମୁକାବିଲା ଓ ଏହି ଭଳି ଆପଦକାଳୀନ ସ୍ଥିତିର ସାମ୍ନା କରିବା ପାଇଁ ପ୍ରାକ୍ ପ୍ରସ୍ତୁତି ସ୍ୱରୂପ ୧୬ ଜିଲ୍ଲାର ୨୪ଟି ଶିଳ୍ପାନୁଷ୍ଠାନଠାରେ ମକ୍ ଏକ୍ସରସାଇଜ ଅନୁଷ୍ଠିତ ହୋଇଯାଇଛି ।
ଏହି ମକ୍ ଏକ୍ସରସାଇଜ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଶିଳ୍ପ ଅନୁଷ୍ଠାନଗୁଡ଼ିକରେ ଯଦି ଭବିଷ୍ୟତରେ କୌଣସି ପ୍ରକାର ରାସାୟନିକ ଗ୍ୟାସ୍ ଲିକ୍ ହୁଏ, ବିସ୍ଫୋରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦୁର୍ଘଟଣା ଘଟିଲେ ତାହାକୁ ତ୍ଵରିତ ବେଗରେ ପ୍ରଭାବଶାଳୀ ଢଙ୍ଗରେ କିପରି ପ୍ରଶମନ କରାଯାଇପାରିବ ସେ ସଂପର୍କରେ ସତର୍କ ଓ ପ୍ରସ୍ତୁତ ରହିବା ଦରକାର, ଏହା ହେଉଛି ସେହି ସଂପର୍କିତ ଏକ ଜରୁରୀକାଳୀନ ତାଲିମ । ଏଥିରେ ଜିଲ୍ଲା ପ୍ରଶାସନ, ଶିଳ୍ପ ସଂସ୍ଥା, ଜାତୀୟ ଓ ରାଜ୍ୟସ୍ତରୀୟ ଉଦ୍ଧାରକାରୀ ଦଳ, ସ୍ୱେଚ୍ଛାସେବୀ ଓ ପ୍ରଭାବିତ ହେବାକୁ ଥିବା ଜନସାଧାରଣ ସମସ୍ତେ ଏହି ଭଳି ପ୍ରାକ୍ ପ୍ରସ୍ତୁତିରେ ସାମିଲ ହୋଇଥିଲେ ।
ଏହି ମକ୍ ଏକ୍ସରସାଇଜରେ ଜରୁରୀକାଳୀନ ପ୍ରତିକ୍ରିୟାକୁ ଶୃଙ୍ଖଳିତ କରିବା, ଖାଲିଥିବା ସ୍ଥାନ ଚିହ୍ନଟ କରିବା, ପ୍ରାରମ୍ଭିକ ଚେତାବନୀ, ସତର୍କତା, ନିରାପତ୍ତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶିଳ୍ପାନୁଷ୍ଠାନଗୁଡ଼ିକର ଗଚ୍ଛିତ ରାସାୟନିକ ପଦାର୍ଥ ଏବଂ ବିପଜ୍ଜନକ ଓ ଦହନଶୀଳ ସାମଗ୍ରୀଗୁଡ଼ିକ ଏହି ଆଧାରରେ ଚିହ୍ନଟ କରି ମକ୍ ଏକ୍ସରସାଇଜ ଅନୁଷ୍ଠିତ ହୋଇଥିଲା । ଆପଦକାଳୀନ ପରିସ୍ଥିତିର ସାମ୍ନା କରିବାର ପ୍ରସ୍ତୁତି ସ୍ଵରୂପ ନିକଟସ୍ଥ ଗ୍ରାମବାସୀମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଏନ୍ଡିଆରଏଫ୍, ଓଡ୍ରାଫ୍, ସିଆଇଏସଏଫ୍, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ଶିଳ୍ପାନୁଷ୍ଠାନ, ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗ, ଡାକ୍ତରୀ ଦଳ, ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧ ଏହି ଭଳି ପ୍ରାକ୍ ପ୍ରସ୍ତୁତିରେ ସାମିଲ ହୋଇଥିଲେ । ଏହା ସହ ଫ୍ୟାଟ୍ରି ଓ ବଏଲର ନିର୍ଦ୍ଦେଶାଳୟ, ରାଜ୍ୟ ପ୍ରଦୂଷଣ ବୋର୍ଡ, ଭାରତୀୟ ସେନା, ବାୟୁସେନା, ନୌସେନା, ସିଆଇଏସ୍ଏଫ୍ ଭଳି ସଂଗଠନରୁ ରାଜ୍ୟସ୍ତରୀୟ ବୈଷୟିକ ପର୍ଯ୍ୟବେକ୍ଷକମାନଙ୍କୁ ନିୟୋଜିତ କରାଯାଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ପକ୍ଷରୁ ଅବସରପ୍ରାପ୍ତ କମାଣ୍ଡାଣ୍ଟ ଶ୍ରୀ ଆଦିତ୍ୟ କୁମାର ରାଜ୍ୟ ଜରୁରୀକାଳିନ ଅପରେସନ ସେଣ୍ଟରଠାରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଓ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟଳୟର ଅଧିକାରୀମାନଙ୍କ ସହିତ ଏହି ମକ ଏକ୍ସରସାଇଜ କାର୍ଯ୍ୟକ୍ରମର ତଦାରଖ କରିଥିଲେ ।
ଏହି ମକ୍ ଏକ୍ସରସାଇଜ୍ ସମାପ୍ତ ହେବା ପରେ ଭୁବନେଶ୍ଵର ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟରଠାରେ ଆଭାଷୀ ମାଧ୍ୟମରେ ଆୟୋଜିତ ବୈଠକରେ ୧୬ ଜିଲ୍ଲା ପ୍ରଶାସନର ଅଧିକାରୀ, ଚିହ୍ନଟ ଶିଳ୍ପାନୁଷ୍ଠାନଗୁଡ଼ିକର ପ୍ରତିନିଧି, ମନୋନୀତ ଇନସିଡେଣ୍ଟ କମାଣ୍ଡର ଓ ବୈଷୟିକ ପର୍ଯ୍ୟବେକ୍ଷକମାନେ ଏହି ପ୍ରାକ୍ ପ୍ରସ୍ତୁତି ସଂପର୍କରେ ନିଜ ନିଜର ମତ ଓ ଅନୁଭୂତି ଏବଂ ପ୍ରସ୍ତାବ ଆଗତ କରିଥିଲେ । ଏହି ବୈଠକରେ ଅତିରିକ୍ତ ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପଦ୍ମନାଭ ବେହେରା ଅଧ୍ୟକ୍ଷତା କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ଏହି ମକ୍ ଏକ୍ସରସାଇଜରୁ ମିଳିଥିବା ଅଭିଜ୍ଞତା ଆଧାରରେ ଆଗାମୀ ଦିନରେ ରାସାୟନିକ ବିପର୍ଯ୍ୟୟ ପ୍ରଶମନ ମୁକାବିଲା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ।