
ଭୁବନେଶ୍ୱର, ଓଡ଼ିଶାର ସମସ୍ତ ଅଞ୍ଚଳକୁ ସ୍ବଚ୍ଛ ନିରାପଦ ପାନୀୟଜଳ ଯୋଗଣର ପ୍ରତିବଦ୍ଧତାକୁ ଆଗକୁ ବଢାଇ ଆଜି ପୁରୀ ଜିଲ୍ଲା ପୁରୀ-ସଦର, ଗୋପ ଓ ନିମାପଡ଼ା ବ୍ଲକରେ ବିଭିନ୍ନ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି l ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ମାନ୍ୟବର ପଞ୍ଚାୟତି ରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ କରକମଳରେ ତିନୋଟି ବ୍ଲକର ୨୮ ଗ୍ରାମ ପଞ୍ଚାୟତ ଅଧିନସ୍ଥ ୧୫୭ଗୋଟି ଗ୍ରାମ ପାଇଁ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଅନୁଷ୍ଠିତ ହୋଇଥିଲା l
ସମୁଦାୟ ୨୧୩.୯୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁଥିବା ଏହି ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକରେ ଭାର୍ଗବୀ ନଦୀକୁ ଜଳସ୍ରୋତରୂପେ ଗ୍ରହଣ କରାଯାଇଛି l ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହେବାପରେ ପୁରୀ-ସଦର ବ୍ଲକର ୧୨ ଗୋଟି ପଞ୍ଚାୟତର ୬୭ଟି ଗ୍ରାମ, ଗୋପ ବ୍ଲକର ୧୪ ଗୋଟି ପଞ୍ଚାୟତର ୮୪ଟି ଗ୍ରାମ ଓ ନିମାପଡ଼ା ବ୍ଲକର ଦୁଇଟି ପଞ୍ଚାୟତର ଛଅଟି ଗ୍ରାମର ଅଧିବାସୀ ସ୍ବଚ୍ଛ ନିରାପଦ ପାନୀୟଜଳ ପାଇ ପାରିବେ l
ଏହି ଶିଳାନ୍ୟାସ ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ମେଗା ପାଇପ ପାନୀୟ ଜଳ ପ୍ରକଳ୍ପକୁ ଉକ୍ତ ଅଞ୍ଚଳର ଲୋକଙ୍କ ଆଶା-ଆକାଂକ୍ଷାର ପ୍ରତୀକ ବୋଲି ଅଭିହିତ କରିଥିଲେ l ମାନ୍ୟବର ପଞ୍ଚାୟତି ରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଏହି ମେଗା ପାଇପ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପନ୍ନ ହୋଇ ଲୋକଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ ବୋଲି କହିଥିଲେ l
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତି ରାଜ ଓ ପାନୀୟଜଳ ସଚିବ ଶ୍ରୀ ଏସ୍ଏନ୍ ଗିରୀଶ, ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ଶ୍ରୀ ଭିନିତ ଭରଦ୍ଵାଜ, ସର୍ବୋଚ୍ଚ ଯନ୍ତ୍ରୀ, RWSS, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, RWSS, ପୁରୀ ଜିଲ୍ଲା ପରିଷଦ ଜୋନ୍-୧୧ର ସଦସ୍ୟ, ପୁରୀ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗୋପ ବ୍ଲକର ଉପାଧ୍ୟକ୍ଷ ତଥା ଅନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ l