
ଭୁବନେଶ୍ୱର– ଉତ୍ତମ ମହାନ୍ତିଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ ଅଭିନେତା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଚିର ସବୁଜ ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ କେବଳ କଳାକାର ନୁହେଁ ବରଂ ମୋର ପରିବାରର ଜଣେ ସଦସ୍ୟ ପରି ଥିଲେ । ଲମ୍ବା ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପରିପୁଷ୍ଟ କରିବାରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ । ରାମାୟଣ, ଫୁଲଚନ୍ଦନ, ସୀତା ପରି ଝିଅଟିଏ ଆଦି ସୁପରହିଟ୍ ଚଳଚ୍ଚିତ୍ର ତାଙ୍କର ଅନନ୍ୟ କୃତି ।
ଓଡ଼ିଆ ଜନମାନସରେ ନିଖୁଣ ଓ ଜୀବନ୍ତ ଅଭିନୟ ତାଙ୍କୁ ଘରେ ଘରେ ଲୋକପ୍ରିୟ କରାଇଥିଲା । ତାଙ୍କ ବିୟୋଗରେ ଓଡ଼ିଶାର କଳା ଜଗତରେ ଏକ ଶୂନ୍ୟସ୍ଥାନ ତିଆରି ହୋଇଛି । ଓଡ଼ିଶା ଜଣେ ଯୋଗଜନ୍ମାଙ୍କୁ ହରାଇଲା । ସେ ଦୀର୍ଘ ଦିନ ପାଇଁ ଓଡ଼ିଆଙ୍କ ମନରେ ରାଜ କରିବେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।