
ଭୁବନେଶ୍ୱର, ମହାନ ବୀର ପୁରୁଷ ଓ ଭାରତର ସର୍ବଶ୍ରେଷ୍ଠ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ୧୮୦୯ ମସିହା ଜାନୁଆରୀ ମାସ ୨୩ ତାରିଖ ଦିନ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ୍ ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ । ପଶ୍ଚିମ ଓଡ଼ିଶାରେ ୧୮୨୭ ମସିହାରେ ବୀର ସୁରେନ୍ଦ୍ର ସାଏ ସ୍ଵାଧୀନତା ସଂଗ୍ରାମର ଅଗ୍ନିଶିଖାକୁ ପ୍ରଜ୍ଜ୍ଵଳିତ କରି ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ସମ୍ବଲପୁର ମାଟିରୁ ବ୍ରିଟିଶ ଶାସନ ଲୋପ କରିବା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ଵପୂର୍ଣ୍ଣ ଥିଲା । ସୁରେନ୍ଦ୍ର ସାଏଙ୍କ କୌଶଳପୂର୍ଣ୍ଣ ଗରିଲା ଯୁଦ୍ଧ, ରଣସଜ୍ଜା, ଦୃଢ଼ ମନୋବଳ, ଅସୀମ ଧୈର୍ଯ୍ୟ ଓ ସାହସ ନିକଟରେ ଇଂରେଜମାନେ ହାର ମାନିଥିଲେ । ଓଡ଼ିଶାର ଏହି ବରପୁତ୍ର, ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ବିପ୍ଳବର ଜୟଗାଥା ଓଡ଼ିଶା ଇତିହାସରେ ଚିରଦିନ ପାଇଁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ପୃଷ୍ଠା ମଣ୍ଡନ କରୁଥିବ ।
ବୀର ସୁରେନ୍ଦ୍ର ସାଏଙ୍କ ୧୪୧ତମ ଶ୍ରାଦ୍ଧବାର୍ଷିକୀ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶାଶ୍ଵତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା । ସୁଶ୍ରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।