
-
ଆଚାର୍ଯ୍ୟ ହରିହର ଦାସ ଜଣେ ଗାନ୍ଧିବାଦୀ, ସଂଗ୍ରାମୀ, ସଂସ୍କାରକ, ଛାତ୍ର ବତ୍ସଳ ଶିକ୍ଷକ ଓ ମଣିଷ ପଣିଆର ଉଜ୍ଜଳ ଉଦାହରଣ:ଅତିଥି ବୃନ୍ଦ
ଭୁବନେଶ୍ୱର-ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଆଚାର୍ଯ୍ୟ ବିହାର ପରିଷଦ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଚାର୍ଯ୍ୟଙ୍କ ନିରାଡ଼ମ୍ବର ଜୀବନଶୈଳୀ ଓ ନିଷ୍ଠାପର ସେବାର ପଟାନ୍ତର ନାହିଁ ବୋଲି ଅଭିହିତ କରିଥିଲେ । ପୁରୀ ଜିଲ୍ଲାର ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ଶିକ୍ଷା, ସଂସ୍କାର ଓ ସହାନୁଭୂତିର ମୂର୍ତ୍ତିବନ୍ତ ପ୍ରତୀକ ଥିଲେ । ଜଣେ ଗାନ୍ଧିବାଦୀ, ସଂଗ୍ରାମୀ, ସଂସ୍କାରକ, ଛାତ୍ର ବତ୍ସଳ ଶିକ୍ଷକ ଓ ମଣିଷ ପଣିଆର ଉଜ୍ଜଳ ଉଦାହରଣ ବୋଲି ଶ୍ରୀ ସାମଲ ଅଭିହିତ କରିଥିଲେ । ସତ୍ୟବାଦୀ ବକୁଳ ବନବିଦ୍ୟାଳୟର ଅନ୍ୟତମ ଆଦର୍ଶ ଶିକ୍ଷକ ଆଚାର୍ଯ୍ୟ ହରିହର ନିଜର ସ୍ୱାଭିମାନ ଓ ମୂଲ୍ୟବୋଧ ତଥା ଓଡ଼ିଶାର ଉନ୍ନତି ପାଇଁ ଜୀବନବ୍ୟାପୀ ତ୍ୟାଗ ନିମନ୍ତେ ସ୍ମରଣୀୟ ରହିବେ ବୋଲି ସେ ଉଲ୍ଲେଖ କରିଥିଲେ । ସେହିଭଳି ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପୂର୍ବତନ କୂଳପତି ପ୍ରଫେସର କୈଳାଶ ଚନ୍ଦ୍ର ମିଶ୍ର ହରିହରଙ୍କ ଜୀବନୀ,ସାଧନା ଓ ମଣିଷ ପଣିଆର ଅବତାରଣା କରିଥିଲେ । ଆଚାର୍ଯ୍ୟଙ୍କ ଜ୍ଞାନ ଓ ତ୍ୟାଗ ମଣିଷ ତିଆରିର ପ୍ରମୁଖ ମାର୍ଗ ହୋଇ ରହିବ ବୋଲି ସେ କହିଥିଲେ । ଆଚାର୍ଯ୍ୟଙ୍କ ସହ ବିତିଥିବା ଅନେକ ସ୍ମୃତି ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।
ଅନ୍ୟପକ୍ଷରେ ବିଶିଷ୍ଟ ଶିକ୍ଷାବିତ ତଥା ଶ୍ୟାମ ପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନ ସଭାପତି ଡଃ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, ବିଶିଷ୍ଟ ଲେଖକ ତଥା ନାବାର୍ଡର ପୂର୍ବତନ ଅଧିକାରୀ ଶ୍ରୀ ଶଙ୍କର ନାରାୟଣ ମଲ୍ଲିକ ପ୍ରମୁଖ ଯୋଗଦେଇ ଆଚାର୍ଯ୍ୟଙ୍କ ତ୍ୟାଗ ଓ ସେବା ଉପରେ ଆଲୋକପାତ କରିଥିଲେ । ଲବଣ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ବହୁବାର କାରାଗାର ବରଣ କରିଥିଲେ । ସେହିଭଳି ବିନୋବା ଭାବେଙ୍କ ନେତୃତ୍ୱରେ ଭୂଦାନ ଆନ୍ଦୋଳନରେ ସାମିଲ ହୋଇ ଓଡ଼ିଶାର ପୁରପଲ୍ଲୀ ବୁଲି ଅହିଂସା, ଶିକ୍ଷା ଓ ଅସ୍ପୃଶ୍ୟତାର ବାର୍ତ୍ତା ପ୍ରଚାର କରିଥିଲେ । ତାଙ୍କର ବାଣୀ ପ୍ରତ୍ୟେକ ମଣିଷର ଆଦର୍ଶ ହେଉବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଭଲ ମଣିଷ ହେବାର ଆହ୍ୱାନ ଦେଇ ସେ ଆମ ନିକଟରେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ପ୍ରାରମ୍ଭରେ ବିଭାଗୀୟ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ବିହାର ପରିଷଦ ସଭାପତି ଶ୍ରୀ ଭାଗବତ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ବିହାର ପରିଷଦ ପକ୍ଷରୁ ପ୍ରକାଶିତ ସ୍ମରଣିକା ଋତମ ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହି ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସାଇ ସଙ୍ଗୀତ କଳାକାର ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ବିଭାଗୀୟ ଉପ ନିର୍ଦ୍ଦେଶକା ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରୋଜାଲିନ ସାହୁ ଓ ପ୍ରମୋଦିନୀ ଟେଟେ ମଞ୍ଚ ପରିଚାଳନା କରିଥିଲେ ।