
-
୬ ଦିନ ରେ ବ୍ୟବସାୟ ୨କୋଟିରୁ ଅଧିକା
ଭୁବନେଶ୍ୱର ,ସ୍ଥିତ ଜନତା ମଇଦାନରେ ସୁଭଦ୍ରା ଶକ୍ତି ମେଳା ୨୦୨୫ ହଜାର ହଜାର ଦର୍ଶକଙ୍କ ପାଇଁ ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟ ସହ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ହାତ ତିଆରି ଉତ୍ପାଦର ଏକ କେନ୍ଦ୍ର ସାଜିଥିବା ବେଳେ, ମିଲେଟ୍-ଆଧାରିତ ସ୍ନାକ୍ସ୍ ଓ ନାନା ରକମର ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ଜନସମୂହଙ୍କୁ ଆକର୍ଷିତ କରୁଅଛି।
ମେଳାର ୬ଷ୍ଠ ଦିନରେ ପରିଦର୍ଶକଙ୍କ ମଧ୍ୟରେ ମା ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀର ଚାହିଦା ଥିଲା । ଗଜପତି ମୋହନା ବ୍ଲକ୍ ର ନିବେଦିତା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଅର୍ଗାନିକ୍ ହାତ ଧୋଇବା ସାବୁନ, ବାସନ ଧୋଇବା ସାବୁନ ଏବଂ ଡିଟରଜେଣ୍ଟ୍ ଦର୍ଶକଙ୍କୁ ବେଶ ଆଦୃତ କରିଥିଲା । ମା’ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଘରୋଇ ଉତ୍ପାଦ ଗୁଡିକ ପ୍ରତି ଆଗ୍ରହ ଏହି କ୍ଷେତ୍ରରେ ମହିଳା ଉଦ୍ୟୋଗୀ ମାନଙ୍କ ବ୍ୟବସାୟର ଅଭିବୃଦ୍ଧିକୁ ଦର୍ଶାଉଛି ।
ମେଳାକୁ ମାନ୍ୟବର ବିଭୁତି ଭୂଷଣ ପ୍ରଧାନ, ବିଧାୟକ, ପରଜଙ୍ଗ ତଥା ଶ୍ରୀମତୀ ସୋଫିଆ ଫିର୍ଦୋଷ, ମାନ୍ୟବର ବିଧାୟିକା, ବାରବାଟୀ-କଟକଙ୍କ ପରିଦର୍ଶନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ବାର୍ତ୍ତାଳାପ ମା’ ମାନଙ୍କୁ ପ୍ରୋତ୍ସାହିତ କରିଥିଲା । ସେମାନେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ ମେଳାରେ ପ୍ରଦର୍ଶିତ ଉତ୍ପାଦ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ କାରିଗରୀର ପ୍ରଶଂସା କରିଥିଲେ।
୬ଷ୍ଠ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଆ ଐତିହ୍ୟ ଏବଂ ସଙ୍ଗୀତର ଏକ ମିଶ୍ରଣ ଥିଲା । ଦାସକାଠିଆ ମାଧ୍ୟମରେ ଦର୍ଶକ ପାରମ୍ପରିକ ଲୋକକଥାର ଆନନ୍ଦ ଉଠାଇଥିବା ବେଳେ ମନୋମୁଗ୍ଧକର ଗାୟକୀ ଭରା ମେଲୋଡି ଦର୍ଶକମାନଙ୍କ ମନମୋହିତ କରିଥିଲା ।
ପ୍ରତିଦିନ ସୁଭଦ୍ରା ଶକ୍ତି ମେଳା ୨୦୨୫ ନୂତନ ମାନଦଣ୍ଡ ସ୍ଥାପନ କରିବା ଜାରି ରଖିଛି। ୬ଷ୍ଠ ଦିନ ଶେଷ ସୁଦ୍ଧା, ମୋଟ ୧.୫ ଲକ୍ଷରୁ ଅଧିକ ପରିଦର୍ଶକ ବୁଲି ଥିବା ବେଳେ ସମୁଦାୟ ₹୨ କୋଟିରୁ ଅଧିକ ବିକ୍ରୟ ରେକର୍ଡ୍ କରାଯାଇଥିଲା ଯାହା କ୍ରେତାମାନଙ୍କ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦଗୁଡ଼ିକର ଅଭୂତପୂର୍ବ ଚାହିଦା ଏବଂ ବୃଦ୍ଧି ପାଉଥିବା ସ୍ୱୀକୃତିକୁ ଦର୍ଶାଉଛି।
ଉଦଯାପନ ପାଇଁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ସମସ୍ତ ଦର୍ଶକଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ମା’ ମାନଙ୍କ ଉଦ୍ୟୋଗିତାକୁ ସମର୍ଥନ ପୂର୍ବକ ମେଳା ପରିଦର୍ଶନ କରିବାକୁ ଅନୁରୋଧ ।