
ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ,ପ୍ରାବନ୍ଧିକ, କବି ତଥା ଅନୁବାଦକ ଶ୍ରୀ ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କର ଆଜି ବାଲେଶ୍ୱର ଜିଲ୍ଲାର ରାଜ ନୀଳଗିରି ସ୍ଥିତ ତାଙ୍କ ବାସଭବନ ଠାରେ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ଶ୍ରୀ ନନ୍ଦଙ୍କୁ ୮୨ ବର୍ଷ ବୟସ ହୋଇଥିଲା।
ସ୍ୱର୍ଗତ ନନ୍ଦଙ୍କ ବିୟୋଗ ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ୧୯୪୩ ମସିହା ସେପ୍ଟେମ୍ବର ମାସ ୬ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ଓଡ଼ିଆ ସାହିତ୍ୟ ଜଗତରେ ସେ ଥିଲେ ଜଣେ ସାରସ୍ୱତ ସାଧକ। ତାଙ୍କ ସାହିତ୍ୟ କୃତି ମଧ୍ୟରେ “ନୀଳ ହଂସର ଜ୍ୱାଳା”, “ଅଧପତନର ଛନ୍ଦ”, “ଶବ ସଙ୍ଗମ ଓ ଅନ୍ୟାନ୍ୟ କବିତା”, “ଜିଅନ୍ତା ଶାଳଗ୍ରାମ”, “ସପ୍ତଦ୍ବୀପା ବସୁନ୍ଧରା”, “ସନେଟ ସା”, “ହିରଣ୍ୟୟେନ ପାତ୍ରେଣ”, “ବର୍ଷାର ପାଦରେ ନୂପୁର”, “ନକ୍ଷତ୍ର ସଙ୍ଗମ ଓ ଅନ୍ୟାନ୍ୟ କବିତା”, “ଶ୍ରୀରାଧାର ପୂର୍ଣ୍ଣାଙ୍ଗ ଆଲୋଚନା”, ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ “କବି ଅନନ୍ତ ପଟ୍ଟନାୟକ ମନୋଗ୍ରାଫ” ଆଦି ରଚନା ବେଶ ପାଠକୀୟ ଆଦୃତି ହାସଲ କରିପାରିଛି।
ଆଜି ତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା, ସହସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ଓ କର୍ମକର୍ତ୍ତାମାନେ ଆଜି କାର୍ଯ୍ୟାଳୟରେ ସ୍ବର୍ଗତ ଶ୍ରୀ ନନ୍ଦଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।