-
ଏକତା କଂଗ୍ରେସର ପୁଞ୍ଜି, ସମ୍ବିଧାନକୁ ସୁରକ୍ଷା ଦେବା ଦଳର ପ୍ରଥମ କର୍ତବ୍ୟ
ଭୁବନେଶ୍ୱର- ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୭୨ତମ ମହାପ୍ରୟାଣ ଦିବସ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଚନ୍ଦ୍ରଶେଖରପୁର ନାଲ୍କୋ ଛକସ୍ଥିତ ଗାନ୍ଧୀ ପାର୍କଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପିସିସି କାର୍ଯ୍ୟାଳୟ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ କେନ୍ଦ୍ର ବିଜେପି ସରକାର ପ୍ରଚଳନ କରିବାକୁ ଥିବା ନାଗରିକ ସଂଶୋଧନ ଆଇନର ପରିଣାମ ସଂପର୍କରେ ଅବଗତ କରିବା ପାଇଁ ଆୟୋଜିତ ଏକତା ସମ୍ମିଳନୀରେ ଅଧ୍ୟକ୍ଷତା କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ଏକତା କଂଗ୍ରେସର ପୁଞ୍ଜି । ଯେତେବେଳେ ଦେଶର ଅଖଣ୍ଡତା, ଭାଇଚାରା, ସାମ୍ବିଧାନିକ ସଂକଟ ସୃଷ୍ଟି ହୋଇଛି ସେତେବେଳେ କଂଗ୍ରେସ ଏକଜୁଟ ହୋଇ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଲଢେଇ କରିଛି । ବିଜେପିର ଏ ଷଡଯନ୍ତ୍ର ବିରୁଦ୍ଧରେ ସମସ୍ତ କଂଗ୍ରେସ କର୍ମୀ ଆଗେଇ ଆସିବାକୁ ସେ ଆହ୍ୱାନ କରିଥିଲେ ।
ବୈଠକରେ କଂଗ୍ରେସ ନେତା ପଦ୍ମାକର ଗୁରୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉଦ୍ବୋଧନ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ନେତା ପଂଚାନନ କାନୁନ୍ଗୋ, ଏଆଇସିସି ସଂପାଦକ ଶରତ ରାଉତ ପ୍ରମୁଖ ଗାନ୍ଧିଜୀଙ୍କ ତ୍ୟାଗ, ବଳିଦାନ ଓ ଅହିଂସା ଉପରେ ଆଲୋକପାତ କରିଥିଲେ । ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ନେତୃତ୍ୱରେ ସର୍ବଧର୍ମ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ଛାତ୍ର, ଯୁବକ, ମହିଳା ଓ ସର୍ବୋପରି କଂଗ୍ରେସର ନେତୃମଣ୍ଡଳୀ, ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତା ଉପସ୍ଥିତ ଥିଲେ ।
ଦିବା ୧୨ ଘଟିକା ୧୦ ମିନିଟ୍ରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କଂଗ୍ରେସର ନେତୃମଣ୍ଡଳୀ, କର୍ମୀ ଓ ବିଶେଷକରି ସଂଖ୍ୟାଲଘୁ ସଂପ୍ରଦାୟର ଭାଇମାନେ ଏକ ବିରାଟ ପଟୁଆରରେ କଂଗ୍ରେସ ଭବନରୁ ମାଷ୍ଟର କ୍ୟାଂଟିନ୍ ଛକ ଦେଇ ଲୋୟର ପିଏମ୍ଜିର ମହାତ୍ମା ଗାନ୍ଧୀ ମାର୍ଗ ଠାରେ “ଆମେ ଭାରତବାସୀ” ପକ୍ଷରୁ ଆୟୋଜିତ ‘ସମ୍ବିଧାନ ବଂଚାଅ – ଗଣତନ୍ତ୍ର ବଂଚାଅ – ଦେଶ ବଂଚାଅ’ ବିଶାଳ ସମାବେଶରେ ଯୋଗଦେଇ ସିଏଏ, ଏନ୍ପିଆର, ଏନ୍ଆରସି ପ୍ରତ୍ୟାହାର ଦାବିରେ କେନ୍ଦ୍ର ବିଜେପିର ଷଡଯନ୍ତ୍ରରେ ଓ ରାଜ୍ୟ ବିଜେଡିର ଦୋମୁହାଁ ନୀତିର ପର୍ଦ୍ଦାଫାଶ କରିଥିଲେ ।
ଦିବା ୨ ଘଟିକା ୩୦ ମିନିଟ୍ ସମୟରେ ସିଏଏ, ଏନ୍ପିଆର, ଏନ୍ଆରସି ଉପରେ ଶୁଭେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଏକ କର୍ମଶାଳା କଂଗ୍ରେସ ଭବନ ସଭାକକ୍ଷରେ ଆୟୋଜିତ ହୋଇଥିଲା । ବିିଭିନ୍ନ ଜିଲ୍ଲାରୁ ଆସି ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ମୁଖ୍ୟ ଅତିଥି ତଥା ପିସିସି ସଭାପତି ଶ୍ରୀ ପଟ୍ଟନାୟକ, କଂଗ୍ରେସ ନେତା ଜୟଦେବ ଜେନା, ପଂଚାନନ କାନୁନ୍ଗୋ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ଅଭିଷେକ ମହାନନ୍ଦ ପ୍ରମୁଖ ଉପରୋକ୍ତ ତିନୋଟି ପ୍ରସଙ୍ଗ ଉପରେ ସବିଶେଷ ତଥ୍ୟ ଓ ଏହାର ଦେଶବାସୀଙ୍କ ଉପରେ କୁପ୍ରଭାବ ବିଷୟରେ ସଚେତନ କରାଇଥିଲେ । ଉକ୍ତ ପ୍ରସଙ୍ଗଗୁଡିକୁ ଜନସାଧାରଣଙ୍କ ନିକଟରେ ପୁଙ୍ଖାନୁପୁଙ୍ଖ ଭାବେ ପହଂଚାଇବାକୁ ଶ୍ରୀ ପଟ୍ଟନାୟକ ଉପସ୍ଥିତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ ।
ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ବିଧାୟକ ସୁରେଶ କୁମାର ରାଉତରାୟ, ଡ. ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ଉମାବଲ୍ଲଭ ରଥ, ଆକାଶ ଭୂୟାଁ, ଦେବାଶିଷ ଭୂୟାଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।