
ଭୁବନେଶ୍ୱର :- ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ ଟୀକାର ଗୁଣବତ୍ତାସମ୍ପର୍ଣ୍ଣ ପରିଚାଳନା ପାଇଁ ରାଜ୍ୟ ଟୀକା ଭଣ୍ଡାର ଦେଶର ପ୍ରଥମ ଟୀକା ଭଣ୍ଡାର ଭାବେ ISO 9001:2015 ପ୍ରମାଣପତ୍ର ପାଇଛି । ଟୀକାର ଉପଯୁକ୍ତ ସଂରକ୍ଷଣ, କୋଲ୍ଡ ଚେନ୍ ପରିଚାଳନା, ଯୋଗାଣ ଶୃଙ୍ଖଳ ପରିଚାଳନା, ଅନ୍ଲାଇନ୍ ସଫ୍ଟୱୟାର ଜରିଆରେ କମ୍ପ୍ୟୁଟରୀକୃତ ରେକର୍ଡ, ପ୍ରତ୍ୟହ ଦୁଇଥର ତାପମାତ୍ରା ପରୀକ୍ଷା ଦ୍ୱାରା ଟୀକାର ମାନ ବଜାୟ ରଖିବା ଓ ଶୂନ୍ୟ ଅପଚୟ ପରି ମାନକଗୁଡ଼ିକ ପାଇଁ ରାଜ୍ୟ ଟୀକା ଭଣ୍ଡାରକୁ ଏହି ପ୍ରମାଣପତ୍ର ମିଳିଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିରନ୍ତର ପ୍ରୟାସ ଓ ଉତ୍ସର୍ଗୀକୃତ ସେବା ମନୋଭାବ ଯୋଗୁଁ ଏହି ସଫଳତା ମିଳିପାରିଛି ।
ସଠିକ କୋଲ୍ଡ ଚେନ୍ ବ୍ୟବସ୍ଥା ଏବଂ ଟୀକାର ଉପଯୁକ୍ତ ପରିବହନ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଅନୁମୋଦିତ ତାପମାତ୍ରାରେ ଟୀକାକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶାରେ ରାଜ୍ୟ ଟୀକା ଭଣ୍ଡାର, ୯ଟି ଆଞ୍ଚଳିକ ଏବଂ ୩୨ଟି ଜିଲ୍ଲା ଟୀକା ଭଣ୍ଡାର ସମେତ ୧୨୬୩ଟି କୋଲ୍ଡ ଚେନ୍ କେନ୍ଦ୍ର ରହିଛି । ସମସ୍ତ ଟୀକାର ଦୈନନ୍ଦିନ ଯୋଗାଣ ଶୃଙ୍ଖଳ ଓ ଗୁଣବତ୍ତାର ପରିଚାଳନା ପାଇଁ ସମସ୍ତ ଟୀକା ଭଣ୍ଡାରରେ ଉତ୍ତମ ତାଲିମପ୍ରାପ୍ତ କର୍ମଚାରୀ ନିୟୋଜିତ ଅଛନ୍ତି । ପ୍ରତିବର୍ଷ ୯.୪ ଲକ୍ଷ ଗର୍ଭବତୀ ମହିଳା, ୭.୯ ଲକ୍ଷ ନବଜାତ ଓ ୨୮ ଲକ୍ଷ କିଶୋର-କିଶୋରୀଙ୍କ ଟିକାକରଣ ଲକ୍ଷ୍ୟ ପୂରଣ ପାଇଁ ଟୀକା ଭଣ୍ଡାରଗୁଡ଼ିକ ୨.୩୬ କୋଟି ଟିକାର ଉପଯୁକ୍ତ ସଂରକ୍ଷଣ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହାକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଯତ୍ନବାନ ରହିଛି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟର ୭ଟି ଆଞ୍ଚଳିକ ଏବଂ ୨୨ଟି ଜିଲ୍ଲା ଟୀକା ଭଣ୍ଡାର ISO 9001:2015 ପ୍ରମାଣପତ୍ର ପାଇସାରିଛନ୍ତି ।