କନ୍ଧମାଳ- ଦାବୀ କରି କରି ଲୋକେ ଥକି ଗଲେଣି । ବର୍ଷେ କି ଦିବର୍ଷ ନୁହେଁ ଗଲା ୧୦ବର୍ଷରୁ ଉଦ୍ଧ୍ୱର୍ ହେଲା ୭ ଖଣ୍ଡ ଗ୍ରାମବାସୀ ଦାବୀ କରିଆସୁଛନ୍ତି । ହେଲେ ପ୍ରଶାସନ କି ସରକାର ଶୁଣୁନାହାଁନ୍ତି । ଫଳରେ ପ୍ରତିଦିନ ଶହ ଶହ ଲୋକେ ଏପରିକି ସ୍କୁଲ ଛାତ୍ରଛାତ୍ରୀ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ଖଡଗ୍ ନଦୀ ପାର ହୋଇ ପାଠ ପଢିବା ଲାଗି ସ୍କୁଲକୁ ଯାଉଛନ୍ତି । କେତେଥର ଡଙ୍ଗା ମଧ୍ୟ ଭାରସାମ୍ୟ ହରାଇ ବୁଡିଗଲାଣି । ଲୋକଙ୍କ ଜୀବନ ବି ଚାଲିଗଲାଣି । ହେଲେ କ’ଣ କରିବେ, ଉପାୟ ନାହି । ଫଳରେ ଲୋକେ ଦଦରା ଦେଶୀ ଡଙ୍ଗାରେ ନଦୀ ପାର ହେବାଲାଗି ବାଧ୍ୟ ହେଉଥିବା କହିଛନ୍ତି । ଏଭଳି ଅବସ୍ଥା ଦେଇ ଗତି କରୁଛନ୍ତି ବାଲିଗୁଡା ବ୍ଲକର ଖମନଖୋଲ ପଂଚାୟତର ରାଇପଙ୍କ, ଗଣ୍ଡାକିଆ, ପଚରନି, ଗାଦିମାସ୍କା, ସେଶକା ଆଦି ୭ଟି ଗ୍ରାମର ଲୋକେ । ସରକାରଙ୍କ ତରଫରୁ ମଧ୍ୟ ଡଙ୍ଗା ପକାଯାଇନି । ଏଣୁ, ସରକାର ଏଥିପ୍ରତି ଦୃଷ୍ଟି ଦେବାସହ ଅତିଶିଘ୍ର ଖଡଗ ନଦୀ ଉପରେ ପୋଲ ନିର୍ମାଣ କଲେ ଏସବୁ ଗ୍ରାମର ଶତାଧିକ ଲୋକେ ଉପକୃତ ହୋଇପାରନ୍ତେ ।