
ଭୁବନେଶ୍ୱର, ଟାଟା ଷ୍ଟିଲ ଫାଉଣ୍ଡେସନ ଏବଂ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବଅଁରପାଳ ଛକର ସୌନ୍ଦର୍ଯ୍ୟକରଣ କରିବା ଲାଗି ଶୁଭ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଐତିହାସିକ ଗାଁ ତଥା ସ୍ୱର୍ଗୀୟ ଆଦ୍ଵିତ୍ତ୍ଵ ପ୍ରସାଦ ସିଂହଙ୍କ ଜନ୍ମସ୍ଥାନ ଗୋତମରା ର ପୁଷ୍କରିଣୀର ନବୀକରଣ କରି ଅମୃତ ସରୋବର କରିବା ପାଇଁ ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଟାଟା ଷ୍ଟିଲ ପୋଷ୍ୟ ଭାବେ ଗ୍ରହଣ କରିଥିବା ବଅଁରପାଳର ପଞ୍ଚାୟତ ସୋମନାଥ ସିଂହ ଜଗଦେବ ଡିଗ୍ରୀ କଲେଜ ଏବଂ ଉଚ୍ଚ ବିଦ୍ୟାଳୟରେ ଅନୁଣିମା 2025 କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଟାଟା ଷ୍ଟିଲ ଦ୍ଵାରା କଲେଜରେ ଗବେଷଣା କେନ୍ଦ୍ର, ଖେଳ ପଡିଆ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଆହୁରି ମଧ୍ୟ କହିଛନ୍ତି, ଅନୁଗୁଳ ଜିଲ୍ଲାର ମୁଖଶାଳା ହେଉଛି ବଅଁରପାଳ । ଟାଟା ଷ୍ଟିଲ ଓ ଜିଲ୍ଲା ପ୍ରଶାସନ ମିଶି ଅନୁଗୁଳକୁ ଗୋଟିଏ ଆଧୁନିକ ଜିଲ୍ଲା ଭାବେ ଗଢ଼ିବା ପାଇଁ ସଂକଳ୍ପ ନେଇଛନ୍ତି ।