
ବଅଁରପାଳ– କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୋଳ ବଅଁରପାଳ ଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରକୁ ଗୁରୁତ୍ୱ ଦେବା ସହ କାର୍ଯ୍ୟକୁ ବ୍ୟାପକ କରାଇବା ପାଇଁ ସହଯୋଗୀ ହେବାକୁ ଟାଟା ଷ୍ଟିଲ ଫାଉଣ୍ଡେସନକୁ ପରାମର୍ଶ ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ବଅଁରପାଳ ଛକର ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ ପାଇଁ ସମନ୍ୱିତ ବିକାଶ ପ୍ରକଳ୍ପ ଓ ୫୦ ଲକ୍ଷ ଟଙ୍କା ବ୍ୟୟରେ ‘ଅମୃତ ସରୋବର’ ପ୍ରକଳ୍ପ ଅଧୀନରେ ଗୋତମରା ପୋଖରୀର ନବୀକରଣ ପାଇଁ ଶିଳାନ୍ୟାସ କରିଛନ୍ତି । ସେହିପରି ସ୍ଥାନୀୟ ପିଏସଏସଜେ ଜୁନିୟର ମହାବିଦ୍ୟାଳୟ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନର ବାର୍ଷିକ ଉତ୍ସବ ‘ଅରୁଣିମା- ୨୦୨୫’ ରେ ଯୋଗଦେବା ସହ ୨୫ ଲକ୍ଷ ଟଙ୍କା ବ୍ୟୟରେ ଏହି କଲେଜର ଲ୍ୟାବ୍ ଓ ଖେଳପଡ଼ିଆ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାସହ ବଅଁରପାଳ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସପ୍ତମ ବା ତଦୁର୍ଦ୍ଧ ଶ୍ରେଣୀରେ ପଢୁଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପିଲାମାନଙ୍କୁ “ଜ୍ୟୋତି ଛାତ୍ରବୃତ୍ତି” ପ୍ରଦାନ କରିଥିଲେ ।
ଜିଲ୍ଲା ପ୍ରଶାସନ ସହଯୋଗରେ ଟଟା ଷ୍ଟିଲ୍ ଫାଉଣ୍ଡେସନର ଏହି ସାଧୁ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଓ ତାଳଚେରର ମୁଖଶାଳା ହେଉଛି ବଅଁରପାଳ । ବଅଁରପାଳ ବ୍ଲକର ଗୋତମରା ଗାଁ ଏକ ଐତିହାସିକ ଗ୍ରାମ । ଏହି ଗ୍ରାମରେ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହ ଜନ୍ମଗ୍ରହଣ କରିଥିଲେ । ଆଜି ଶୁଭାରମ୍ଭ ହୋଇଥିବା ପାଖାପାଖି ୨ କୋଟି ମୂଲ୍ୟର ପ୍ରକଳ୍ପ ଗୁଡ଼ିକ ବଅଁରପାଳକୁ ଏକ ନୂଆ ପରିଚୟ ଦେବ । ଏହି ଗ୍ରାମର ସୌନ୍ଦର୍ଯ୍ୟକରଣ ସହ ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ଆମେ ବଦ୍ଧପରିକର । ଗୋତମରା ପୋଖରୀ ନିକଟରେ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ ।
ସେହିପରି ପିଏସଏସଜେ କଲେଜରେ ଶିଳାନ୍ୟାସ ହୋଇଥିବା ପରୀକ୍ଷାଗାର ଓ ଖେଳ ପଡ଼ିଆ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବେ । ବଅଁରପାଳରେ ଖେଳର ପରମ୍ପରା ରହିଛି । ଧୀରେ ଧୀରେ ଖେଳ ପ୍ରତି ପିଲାମାନଙ୍କ ଆଗ୍ରହ ବଢୁଛି । ଏହି ଅଞ୍ଚଳରେ ଆଗାମୀ ଦିନରେ ଖେଳର ବିକାଶ ହେବ । ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଅନୁଗୋଳ ଜିଲ୍ଲାକୁ ଏକ ଆଧୁନିକ ଜିଲ୍ଲା ଭାବେ ଗଢ଼ିବା ପାଇଁ ସାମୂହିକ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ବଅଁରପାଳ ବ୍ଲକ ତଳମୂଳ ସ୍ଥିତ ଦୁର୍ଗା ମାଧବ ମନ୍ଦିର ଓ ଶନିଶ୍ଚର ମନ୍ଦିରରେ ଦର୍ଶନ କରିଥିଲେ ।