
-
ଉଦଘାଟନୀ ମ୍ୟାଚ୍ରେ ବିଜୟ-ଭାନୁ କ୍ରିକେଟ୍ ଏକାଡ଼େମୀର ବିପୁଳ ବିଜୟ
ଭଦ୍ରକ- ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ‘ଭିଜନ୍-୨୦୨୪’ ର ସଫଳ ରୂପାୟନ ନିମନ୍ତେ ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଏ ବର୍ଷ ନୂତନ ଢଙ୍ଗରେ ୬ଟି ଓ.ସି.ଏ. ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନକୁ ନେଇ ‘ଇଂଟ୍ରା ଡ଼ିଷ୍ଟ୍ରିକ୍ଟ କ୍ଲବ୍ ଲିଗ୍ (ଜୁନିୟର୍)’ ରେଲ୍ୱେ କ୍ରୀଡ଼ାଙ୍ଗନରେ ଆରମ୍ଭ କରିଛି । ସୋମବାର ଦିନ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଚରଂପାର ବିଜୟ-ଭାନୁ ମେମୋରିଆଲ୍ କ୍ରିକେଟ୍ ଏକାଡ଼େମୀ ୨୪୦ ରନ୍ର ଏକ ବିଶାଳ ବ୍ୟବଧାନରେ ଭଦ୍ରକର ସୂର୍ଯ୍ୟଶିଖା କ୍ରିକେଟ୍ କ୍ଲବ୍କୁ ପରାସ୍ତ କରିଛି । ଏକାଡ଼େମୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୦ ଓଭର୍ ଖେଳି ୬ ୱିକେଟ୍ ବିନିମୟରେ ବିପୁଳ ୩୫୫ ରନ୍ ସଂଗ୍ରହ କରିଥିଲା । ଏକାଡ଼େମୀ ଅଧିନାୟକ ସୂର୍ଯ୍ୟ ମହାପାତ୍ର ପ୍ରତିପକ୍ଷ ବୋଲର୍ମାନଙ୍କୁ ନିର୍ମମ ପ୍ରହାର କରି ମାତ୍ର ୮୮ଟି ବଲ୍ରେ ୨୩ଟି ଚୌକା ଓ ୮ଟି ଛକା ସହ ୧୭୬ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁମାର ସ୍ୱାମୀ ୩୬, ରୁଦ୍ର ନାରାୟଣ ବେହେରା ଓ ଆକାଶ ମହାପାତ୍ର ପ୍ରତ୍ୟେକ ୨୯ ରନ୍ ସଂଗ୍ରହ କରିଥିଲେ । ସୂର୍ଯ୍ୟଶିଖାର ସୂର୍ଯ୍ୟ ବାରିକ୍ ୨ଟି, ମୋହିତ ବାରିକ୍, ବିଚିତ୍ର ବାରିକ୍, ମନୋଜ ଦତ ଓ ଓମ୍ ପ୍ରକାଶ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ବିଜୟ ପାଇଁ ୩୫୬ ରନ୍ର ଅସମ୍ଭବ ଲକ୍ଷ୍ୟ ନେଇ ସୂର୍ଯ୍ୟଶିଖା ଇନିଂସ୍ ଆରମ୍ଭ କରିଥିଲା ଏବଂ ମାନସିକ ଚାପଗ୍ରସ୍ତ ଖେଳାଳୀମାନେ ୨୧.୨ ଓଭର୍ ଖେଳି ମାତ୍ର ୧୧୫ ରନ୍ ସଂଗ୍ରହ କରିପାରିଥିଲେ ।
ଏକାଡ଼େମୀ ତରଫରୁ ଆଶୁତୋଷ ସାମଲ୍ ମାପଚୁପ ବୋଲିଂ କରି ୨୫ ରନ୍ ବିନିମୟରେ ୪ଟି ୱିକେଟ୍ ଅକ୍ତିଆର କରିଥିଲା ବେଳେ କୁମାର ସ୍ୱାମୀ, ସୌମ୍ୟ ବାରିକ୍ ଓ ଚିରଂଜୀବୀ ବେହେରା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ବିଜୟ-ଭାନୁ ଏକାଡ଼େମୀର ଅଧିନାୟକ ସୂର୍ଯ୍ୟ ମହାପାତ୍ରଙ୍କୁ ତାଙ୍କ ବିସ୍ଫୋରକ ଇନିଂସ୍ ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ସମ୍ମାନ ଦିଆଯାଇଥିଲା । ଅମ୍ପାୟାର୍ ରୂପେ ଅବଦୁଲ୍ ରହିମ୍ ଖାନ୍ ଓ ଦେବବ୍ରତ ଦାସ ମ୍ୟାଚ୍ ପରିଚାଳନା କରିଥିଲା ବେଳେ ଡ଼ିଜିଟାଲ୍ ସ୍କୋର୍ର ରୂପେ ସମ୍ବିତ୍ ମହାରଣା ଓ ଅଫ୍ ଲାଇନ୍ ସ୍କୋରର୍ ଭାବେ ରାଜେଶ ନାୟକ ସହଯୋଗ କରିଥିଲେ । ପୂର୍ବାହ୍ନ ୧୦ଟା ବେଳେ ଏହି ପ୍ରତିଯୋଗିତାକୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ପୂର୍ବତନ ଅଧ୍ୟକ୍ଷ ଧୀରେନ ପଲାଇ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ର ସାଧାରଣ ସମ୍ପାଦକ ଉପେନ୍ଦ୍ର କୁମାର ବାରିକ୍ ଓ ଓଡ଼ିଶା ଜୁନିୟର୍ କୋଚ୍ କେ.ଭି.ପ୍ରସାଦ ପରିଚାଳନା କରିଥିଲା ବେଳେ ଆସୋସିଏସନ୍ର ସଦସ୍ୟ ଜିଲ୍ଲାର ବରିଷ୍ଠ କ୍ରୀଡ଼ାବିତ୍ ଭବତୋଷ ଦାସ, ସୁଶୀଲ ପଟ୍ଟନାୟକ, ପୂର୍ବତନ କ୍ରିକେଟର୍ ଦିଲ୍ଲୀପ୍ ନାୟକ ଓ ହ୍ୟାପିହୋମ୍ କ୍ରୀଡ଼ା ଅଧ୍ୟାପକ ରବିନାରାୟଣ ଓଝା ପ୍ରମୁଖ ସହଯୋଗ କରିଥିଲେ ।