-
ସାମଗ୍ରୀର ରକ୍ଷଣାବେକ୍ଷଣ ଓ କ୍ଷତିପୂରଣ ନେଇ ଉପଜିଲାପାଳଙ୍କୁ ଭେଟିଲା ବଣିକ ସଂଘ
ଭଦ୍ରକ – ଭଦ୍ରକ ବାଇପାସ୍ ସ୍ଥିତ ଆରଏମ୍ସି ପରିସରରେ ବିପଦପୂର୍ଣ୍ଣ ଭାବେ ଥିବା ଶୁଖୁଆ ହାଟକୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ୍ ମୂଳେ ପ୍ରୋକ୍ଲିନ୍ ଦ୍ୱାରା ଉଚ୍ଛେଦ କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନୋଟିସ୍ ସେଠାରେ ଆଖଣ୍ଡଳମଣି ବଣିକ ସଂଘ ଅଧୀନରେ ବ୍ୟବସାୟ କରିଆସୁଥିବା ୬୦ ରୁ ଉର୍ଦ୍ଧ୍ୱ ବ୍ୟବସାୟୀଙ୍କ ନଜରକୁ ଆସିନଥିବାର ଅଭିଯୋଗ କରିଛି ସଂଘ । ଏବଂ ଏହି ଉଚ୍ଛେଦ ଯୋଗୁଁ ବହୁ ବ୍ୟବସାୟୀଙ୍କ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ଶୁଖୁଆ ଭଙ୍ଗା ଘର ତଳେ ଚାପି ହୋଇ ରହିଯାଇଥିବାବେଳେ ଆଜି ସଂପୃକ୍ତ ବ୍ୟବସାୟୀମାନେ ସେମାନଙ୍କର ଉକ୍ତ ସାମଗ୍ରୀକୁ ଉଦ୍ଧାର କରିବା ସହ ଏଭଳି ଅନ୍ୟାୟ ବିରୁଦ୍ଧରେ ସାଂସଦ ମଂଜୁଲତା ମଣ୍ଡଳଙ୍କ ଶରଣାପନ୍ନ ହୋଇଛନ୍ତି । ଏବଂ ସାଂସଦ ଶ୍ରୀମତୀ ମଣ୍ଡଳ ସେମାନଙ୍କର ଅଭିଯୋଗ ପତ୍ରକୁ ଗ୍ରହଣ ପୂର୍ବକ ଉପଜିଲ୍ଲାପାଳ ତଥା ଆରଏମସିର ଅଧ୍ୟକ୍ଷ ପୀତାମ୍ବର ସାମଲଙ୍କୁ ଏ ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପରେ ସଂଘ ପକ୍ଷରୁ ଉପଜିଲାପାଳଙ୍କୁ ତାହା ପ୍ରଦାନ କରାଯାଇଛି ।
ଏ ସଂପର୍କରେ ବଣିକ ସଂଘର ସଭାପତି ରବିନ୍ଦ୍ର କୁମାର ମଳିକ, ସଂପାଦକ ପ୍ରଦୀପ ମଳିକଙ୍କ ସମେତ ୬୦ ରୁ ଉର୍ଦ୍ଧ୍ୱ ସଦସ୍ୟ ସାଂସଦ ଓ ଉପଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ସେମାନେ ଉକ୍ତ ହାଟରେ ଦୀର୍ଘ ୩୦ ବର୍ଷ ହେବ ଶୁଖୁଆ ବ୍ୟବସାୟ କରି ସେମାନଙ୍କର ପରିବାର ପ୍ରତିପୋଷଣ କରିଆସୁଛନ୍ତି । ତେବେ ଗତ ୨୭ ତାରିଖ ଦିନ ଦିବା ୩ ଘଟିକା ସମୟରେ ଆରଏମସି ପକ୍ଷରୁ ସେମାନଙ୍କର ଘର ଭାଙ୍ଗିବା ପାଇଁ ନୋଟିସ୍ ଦିଆଯାଇଥିଲା ଓ ୨୮ ତାରିଖ ଦିନ ଦିବା ୧୦ ଘଟିକାରେ ସେମାନଙ୍କ ଅନୁପସ୍ଥିତିରେ ଉକ୍ତ ଦୋକାନ ଘରଗୁଡିକୁ ଭାଙ୍ଗିଦିଆଯାଇଥିଲା । ଏ ସଂପର୍କରେ ଆରଏମସି ପକ୍ଷରୁ ଦିଆଯାଇଥିବା ତଥ୍ୟ ମୂଳେ ଏହି ଘର ଭାଙ୍ଗିବା ନେଇ ପୂର୍ବରୁ ମାଇକ୍ ପ୍ରଚାର ସହ ୨୭ ତାରିଖ ଦିନ ଲିଖିତ ନୋଟିସ୍ ଜାରି କରାଯାଇଥିଲା । ଏବଂ ୨୮ ତାରିଖ ଦିନ ତାହା କାର୍ଯ୍ୟକାରୀ କରାଯାଇଥିଲା । ତେବେ ସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗ ମୂଳେ ସେମାନେ ୬୦ ରୁ ଉର୍ଦ୍ଧ୍ୱ ଶୁଖୁଆ ବ୍ୟବସାୟୀଙ୍କ ଜାଣିବାରେ ପ୍ରଶାସନ ପକ୍ଷରୁ ଦୁଇଟି ବିପଦପୂର୍ଣ୍ଣ ପିଣ୍ଡିଘର ଭାଙ୍ଗିବା ପାଇଁ ନୋଟିସ୍ ଜାରି କରାଯାଇଥିଲା । ଏଣୁ ସେମାନେ ସେଦିନ ବ୍ୟବସାୟ ସାରି ଦୂର ଦୂରାନ୍ତରେ ଥିବା ଗୃହକୁ ଚାଲିଯାଇଥିଲେ । ଯାହାଫଳରେ ପରବର୍ତୀ ନୋଟିସ୍ ସଂପର୍କରେ ସେମାନେ ଆଦୌ ଅବଗତ ହୋଇପାରିନଥିଲେ । ପ୍ରଶାସନ ସେମାନଙ୍କର ସାମଗ୍ରୀ ଓ ଗୃହ ଉପକରଣ ଗୁଡିକର ରକ୍ଷଣାବେକ୍ଷଣ ଦିଗରେ କୌଣସି ସୁଯୋଗ ନଦେଇ ହଠାତ୍ ଭାଙ୍ଗିଦେବା ଫଳରେ ସେମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି । ଆଗକୁ ଅଦିନିଆ ବର୍ଷାର ସମ୍ଭାବନା ଥିବାରୁ ସେମାନଙ୍କର ଉଦ୍ଧାର ସାମଗ୍ରୀ ଗୁଡିକର ରକ୍ଷଣାବେକ୍ଷଣ ସହ ଭାଙ୍ଗିଯାଇଥିବା ଗୃହଗୁଡିକର କ୍ଷତିପୂରଣ ନିମନ୍ତେ ସରକାରୀ ସହାୟତା ଯୋଗାଇଦେବା ଦାବିରେ ସେମାନେ ଆଜି ସାଂସଦଙ୍କୁ ଭେଟିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଲୋଡିଥିଲେ । ତେବେ ସର୍ବଶେଷ ତଥ୍ୟ ମୂଳେ ଉପଜିଲାପାଳ ଶ୍ରୀ ସାମଲ ସେମାନଙ୍କର ଅଭିଯୋଗ ପତ୍ରକୁ ଗ୍ରହଣ ପୂର୍ବକ ଆଲୋଚନା ପରେ ସେମାନଙ୍କ ହିତ ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ସେମାନଙ୍କ ସମସ୍ତ ସୁବିଧା ସୁଯୋଗ ସହ କିଭଳି ଏକ ଅତ୍ୟାଧୁନିକ ମାର୍କେଟ୍ କମ୍ପେ୍ଲକ୍ସର ନିର୍ମାଣର ଯୋଜନା ରହିଛି ଏବଂ ଖୁବଶୀଘ୍ର ଟେଣ୍ଡର ମୂଳେ ଆରମ୍ଭ ହୋଇଥିବା ନିର୍ମାଣଧୀନ ଗୃହ ଗୁଡିକୁ ଅଗ୍ରାଧିକାର ଭିତିରେ ଯୋଗାଇ ଦିଆଯିବ, ସେ ସଂପର୍କରେ ସୂଚନା ଦେଇଥିଲେ । ଏପରିକି ଭଙ୍ଗା ଯାଇଥିବା ସେମାନଙ୍କ ଗୃହଗୁଡିକରେ ଥିବା ସାମଗ୍ରୀ ଗୁଡିକୁ ସୁରକ୍ଷିତ ରଖିବା ପାଇଁ ଆରଏମସି ସଂପାଦକଙ୍କୁ ଏକ ଗୋଦାମ ଗୃହ ଯୁଦ୍ଧକାଳୀନ ଭିତିରେ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କ୍ଷତିଗ୍ରସ୍ତ ହୋଇଥିବା ଶୁଖୁଆ ବ୍ୟବସାୟୀଙ୍କ କ୍ଷତିପୂରଣ ପାଇଁ ସଂଘ ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଛି ।