
ଚଣ୍ଡିଗଡ– ଦିଲ୍ଲୀରେ ବିଧାନସଭା ନିର୍ବାଚନ ସମୟରେ ହରିୟାଣା ଉପରେ ଯମୁନା ପାଣିରେ ବିଷ ମିଶାଯାଇଥିବା ଅଭିଯୋଗ ଆଣି ବିବାଦରେ ଫସିଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ସଂଯୋଜକ ଅରବିନଦ କେଜରିୱାଲ ସୋମବାର ସୋନିପତ କୋର୍ଟରେ ହାଜର ହୋଇନାହାନ୍ତି । କେଜରିୱାଳଙ୍କ ସ୍ଥାନରେ ତାଙ୍କ ଓକିଲ ଭୁବେଶ ମଲିକ କୋର୍ଟ ଆସିଥିଲେ ।
ସୋନିପତରେ ଜଳସେଚନ ବିଭାଗର ଏକ୍ସଇଏନ ଅଧିକାରୀ ଆଶିଷ କୌଶିକ କୋର୍ଟରେ ପିଟିସନ ଦାୟର କରିଥିଲେ । ଯେଉଁଥିରେ କୁହାଯାଇଛି ଯେ, ଜାନୁୟାରୀ 28ରେ ଯମୁନା ନଦୀକୁ ଲାଗି କରି ଥିବା ଅନେକ ଗାଁର ଲୋକେ ଜଳସେଚନ ବିଭାଗର କାର୍ଯ୍ୟାଳୟରେ ପହଂଚିଥିଲେ । ସେମାନେ କହିଥିଲେ ଯମୁନା ନଦୀରେ କାହିଁକି ବିଷ ମିଶାଯାଇଛି । ଏହାଦ୍ୱାରା ମନୁଷ୍ୟ ଓ ପଶୁଙ୍କ ମୃତ୍ୟୁ ହେବ । ଲୋକଙ୍କୁ ଯେତେବେଳେ କାରଣ ପଚରାଯାଇଥିଲା, ସେମାନେ ସୋସିଆଲ ମିଡିଆରେ ଚାଲୁଥିବା ଏକ ଭିଡିଓ କ୍ଲିପ ଦେଖାଇଥିଲେ । ଭିଡିଓରେ ଅରବିନ୍ଦ କେଜରିୱାଲ ବୟାନ ଦେଉଥିଲେ ଯେ, ହରିୟାଣା ସରକାର ଯମୁନା ନଦୀରେ ବିଷ ମିଶାଇଛନ୍ତି । ଦିଲ୍ଲୀ ଜଳ ବୋର୍ଡର ଅଧିକାରୀଙ୍କ ଆଲର୍ଟ କାରଣରୁ ପାଣିରେ ବିଷ ଥିବା ତଥ୍ୟ ମିଳିଛି । ଯେଉଁ କାରଣରୁ ଦିଲ୍ଲୀର ଲୋକଙ୍କ ଜୀବନ ବଂଚିଛି ।
ଅଧିକାରୀ ପିଟିସନରେ କହିଛନ୍ତି ଯେ, ସେ ସମସ୍ତଙ୍କର ଶୁଣିବା ପରେ ସମସ୍ତଙ୍କୁ ଶାନ୍ତ କରିଥିଲେ । ଭାଇରାଲ ଭିଡିଓରେ ଯେପରି କୁହାଯାଉଛି ସେପରି କିଛି ନଥିବା ସେ କହିଥିଲେ । ପାଣିରେ କୌଣସି ପ୍ରକାରର ବିଷ ନାହିଁ । କେଜରିୱାଲଙ୍କ ବୟାନ ଭୁଲ ଅଟେ ।
ଏହାପରେ ହରିୟାଣା ସରକାର କେଜରିୱାଲଙ୍କ ବିରୁଦ୍ଧରେ ବିଏନଏସ ଧାରା 223 ଅନ୍ତର୍ଗତ କ୍ରିମିନାଲ ଅଭିଯୋଗ ଦାୟର କରିଥିଲେ ।