ଭୁବନେଶ୍ୱର – କାର୍ଯ୍ୟରେ ବିଶୃଙ୍ଖଳା ପାଇଁ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନାର ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ନିଲମ୍ବନ କରିଛନ୍ତି । ପ୍ରମୋଦଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ ସହ ଏହି ସମୟରେ ସେ ତାଳଚେରସ୍ଥିତ ଏନସିଆର ପୋଲିସ୍ ଆଇଜିଙ୍କ ଶୃଙ୍ଖଳାଗତ ପରିଧି ଭିତରେ ରହିବେ ବୋଲି ନିର୍ଦ୍ଦେଶ ରହିଛି ।
ସେହିପରି ଅପରାଧୀଙ୍କଠାରୁ ମାରଣାସ୍ତ୍ର ଜବତ ମାମଲାର ସଠିକ ତଦନ୍ତ କରିନଥିବା ଏବଂ କୋହଳ ଦଫା ଲଗାଇଥିବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି ଅନୁଗୁଳ ଥାନା ଏସ୍ଆଇ ଅରକ୍ଷୀତ ସେଠୀ । ଅରକ୍ଷୀତଙ୍କୁ ନିଲମ୍ବନ କରାଯାଇଥିବା ନେଇ ଅନୁଗୁଳ ଏସପି ଜଗମୋହ ମୀନା ସୂଚନା ଦେଇଛନ୍ତି ।
କିଛି ଦିନ ପୂର୍ବେ ବାପି ପ୍ରଧାନ ନାମକ ଅପରାଧୀଠାରୁ ପିସ୍ତଲ ଓ ଗୁଳି ଜବତ ହୋଇଥିଲା । ତେବେ ମାମଲା ଠିକ୍ ଭାବେ ତଦନ୍ତ ହୋଇନଥିବା ଏବଂ ଅପରାଧୀ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରାଯାଇଥିବାରୁ ଅପରାଧୀକୁ ଜାମିନ ମିଳିଥିବା ଅଭିଯୋଗ ହୋଇଥିଲା । ଅରକ୍ଷୀତ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିବାରୁ ତାଙ୍କୁ ଦାୟୀ କରି ନିଲମ୍ବନ କରାଯାଇଛି ।