
-
ଶେଷ ହେଲା “ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡିଶା–୨୦୨୫”
-
୩ ଦିନରେ ୧ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ
-
କହିଲେ ସମାବେଶରୁ ଉପଲବ୍ଧ ଜ୍ଞାନ ଆଣିବ ବୃତ୍ତିରେ ପ୍ରଗତି
-
ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ଉନ୍ନତି ପାଇଁ ସରକାରଙ୍କ ଅଭିନବ ପ୍ରୟାସ :
-
ଚାଷୀଙ୍କ ସହ ମାନ୍ୟବର ମନ୍ତ୍ରୀଙ୍କ ସିଧାସଳଖ ଭାବ ବିନିମୟ
ଭୁବନେଶ୍ଵର, ଚାଷୀ ହସିଲେ ରାଜ୍ୟ ହସିବ । ତେଣୁ ଚାଷୀଙ୍କ ପାଖରେ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । “ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡିଶା–୨୦୨୫” ଅବସରରେ ଆୟୋଜିତ “ମନ୍ତ୍ରୀଙ୍କୁ ପଚାରନ୍ତୁ” କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ଉନ୍ନତି ପାଇଁ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ଚାଷୀମାନେ ସ୍ଵାଗତ କରିଥିଲେ ।
ବିଭିନ୍ନ ଜିଲ୍ଲାରୁ ଆସିଥିବା ମତ୍ସ୍ୟଚାଷୀ ଓ ପ୍ରାଣିପାଳକମାନେ ମାନ୍ୟବର ମନ୍ତ୍ରୀ ସହ କଥା ହୋଇଥିଲେ । କୌଣସି ସରକାରୀ କର୍ମଚାରୀ ସେମାନଙ୍କୁ ହଇରାଣ କଲେ ତୁରନ୍ତ ଚିଠି ଦ୍ଵାରା ଜଣାଇବାକୁ ସେ ଚାଷୀମାନଙ୍କୁ କହିଥିଲେ ।
ଚାଷୀ ପଚାରିଥିବା କିଛି ପ୍ରଶ୍ନ ଓ ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ଏହି ସବୁ ଉତ୍ତର ରଖାଯାଇଥିଲା ।
୧.ବିଶ୍ୱଜିତ୍ ସ୍ୱାଇଁ, ନାଉଗାଁ,ଜଗତସିଂହପୁର
ପ୍ର: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ବାହାର ରାଜ୍ୟରୁ ଗାଈ ଆଣିବା ଜରୁରୀ କି ?
ଉତ୍ତର: ରାଜ୍ୟର ଦୁଗ୍ଧ ଉତ୍ପାଦନ ନିମନ୍ତେ, ସରକାରଙ୍କର କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ ଯୋଜନା ମାଧ୍ୟମରେ ବାହାର ରାଜ୍ୟରୁ ଗାଈ ଆଣିବା ଜରୁରୀ ଅଟେ । କାରଣ, ଆମ ରାଜ୍ୟରେ ଏତେ ସଂଖ୍ୟକ ଗାଈ ଏକ ସମୟରେ ଉପଲବ୍ଧ ହୋଇପାରୁନି । ଦ୍ୱିତୀୟରେ କେବଳ ନିଜ ନିଜ ଭିତରେ ଗାଈର ଅଦଳ ବଦଳ ହେବ । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବାହାର ରାଜ୍ୟରୁ ଗାଈ ଆଣିବା ପାଇଁ ଯୋଜନା କରିଛନ୍ତି ।
୨. ଗୌତମ ଧାରୁଆ, ଲଖନପୂର୍, ଝାରସୁଗୁଡ଼ା
ପ୍ର: ଗୋ ମୂତ୍ର ଓ ଗୋବର ଖତ କିଣିବା ନିମନ୍ତେ ସରକାରଙ୍କର କିଛି ଯୋଜନା ଅଛି କି?
ଉତ୍ତର: ଆଗକୁ ଓମ୍ଫେଡ ମାଧ୍ୟମରେ ଗୋବର ଖତକୁ ବ୍ୟବହାର କରି ବାୟୋ ଗ୍ୟାସ କରିବା ନିମନ୍ତେ “ଗୋବର୍ଦ୍ଧନ ଯୋଜନା” ନାମକ ଏକ ନୂଆ ଯୋଜନା ଆରମ୍ଭ କରିବା ନିମନ୍ତେ ବ୍ୟବସ୍ଥା ଯାଉଛି ।
୩. ଆଶୁତୋଷ ପଣ୍ଡା , ପୁରୀ
ପ୍ର: ଆମ ରାଜ୍ୟରେ ଲେୟର ଫାର୍ମିଂ ପାଇଁ ସରକାରଙ୍କର କି ଯୋଜନା ଅଛି ?
ଉତ୍ତର: ୧୦୦୦ କୁକୁଡ଼ା ବିଶିଷ୍ଟ ଲେୟର ଫାର୍ମ ପ୍ରତିଷ୍ଠା ନିମନ୍ତେ ୟୁନିଟ ପିଛା ୮.୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି ଯୋଜନାରେ ରାଜ୍ୟ ସରକାର ଅନୁସୂଚିତ ଜାତି, ଜନଜାତି ବର୍ଗ, ମହିଳା ଚାଷୀ, ଟ୍ରାନ୍ସଜେଣ୍ଡର ଓ ଦିବ୍ୟାଙ୍ଗଙ୍କୁ ମୋଟ ଖର୍ଚ୍ଚ ଅଟକଳର ୬୦ ପ୍ରତିଶତ ସରକାରୀ ସହାୟତା ଓ ସାଧାରଣ ବର୍ଗର ପୁରୁଷମାନଙ୍କୁ ମୋଟ ଖର୍ଚ୍ଚ ଅଟକଳର ୫୦ ପ୍ରତିଶତ ସରକାରୀ ସହାୟତା ରାଶି ଯୋଗାଇ ଦେଉଛନ୍ତି । ଆପଣମାନେ ମଧ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବଡ ଆକାରର ଲେୟର ଫାର୍ମ ପ୍ରତିଷ୍ଠା କରିପାରିବେ ଏବଂ ଏଥିପାଇଁ ୪୦ ରୁ ୫୦ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।
୪. ଓଡ଼ିଶା ପିଗୀରି ଆସୋସିଏସନ୍, ନିଆଳି, କଟକ
ପ୍ର: ଘୁଷୁରୀମାନଙ୍କୁ କେଉଁ କେଉଁ ରୋଗ ପାଇଁ ଟୀକାକରଣ କରା ଯାଉଅଛି ? ଏଵଂ ୧୦୦ ରୁ କମ ଘୁଷୁରୀ ଫାର୍ମକୁ ପ୍ରଦୂଷଣ ପ୍ରମାଣ ପତ୍ରରୁ ବାଦ୍ ଦେବା ନିମନ୍ତେ ମାନ୍ୟବର ମନ୍ତ୍ରୀ ବିଚାର କରିବେ କି ?
ଉତ୍ତର: ଘୁଷୁରୀମାନଙ୍କୁ ସରକାରଙ୍କ ତରଫରୁ ସ୍ୱାଇନ ଫାଇଭର୍ ଓ ଫାଟୁଆ ରୋଗ ନିମନ୍ତେ ଭାରତ ସରକାରଙ୍କ ତରଫରୁ ଚାଲିଥିବା ରାଷ୍ଟ୍ରୀୟ ପ୍ରାଣୀ ରୋଗ ନିରାକରଣ ଯୋଜନା ମାଧ୍ୟମରେ ନିଶୁଳ୍କ ଟୀକାଦାନର ବ୍ୟବସ୍ଥା ରହିଛି ।
ଘୁଷୁରୀ ଫାର୍ମ ପ୍ରତିଷ୍ଠା ପାଇଁ ପ୍ରଦୂଷଣ ପ୍ରମାଣପତ୍ର ବିଷୟରେ ସରକାର ଆବଶ୍ୟକୀୟ ବିଚାର କରୁଛନ୍ତି ।
୫. ଶିବାନନ୍ଦ କୁଲ୍ହାରିୟା, ସୁନ୍ଦରଗଡ଼
ପ୍ର: ସରକାରଙ୍କ ବିଭିନ୍ନ ଯୋଜନା ନିମନ୍ତେ ଦରଖାସ୍ତ କରିବା ପାଇଁ ‘ଗୋ ସୁଗମ’ରେ ଅନଲାଇନ ଦରଖାସ୍ତ ନକରି ପାରିଲେ ଅଫଲାଇନ ମାଧ୍ୟମରେ ଦରଖାସ୍ତ କରିହେବ କି ?
ଉ: ଅନଲାଇନ ମାଧ୍ୟମରେ “ଗୋ ସୁଗମ” ପୋର୍ଟାଲରେ ଦରଖାସ୍ତ କରିବାରେ କିଛି ଅସୁବିଧା ହେଲେ ଦରଖସ୍ତ ଫର୍ମଟିକୁ ନିର୍ଭୁଲ ଭାବେ ପୂରଣ କରି ନିକଟସ୍ଥ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ବା ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ ନିକଟରେ ଦରଖାସ୍ତ କରି ପାରିବେ । ଏହା ବ୍ୟତୀତ ନିକଟସ୍ଥ ମୋ ସେବା କେନ୍ଦ୍ରରେ ମଧ୍ୟ ଦରଖାସ୍ତ କରିପାରିବେ ।
ଚାଷୀମାନେ ସିଧାସଳଖ ମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରି ସେମାନଙ୍କ ସମସ୍ୟାର ସମାଧାନ ବିଷୟରେ ଅବଗତ ହୋଇଥିବାରୁ ଖୁସି ପ୍ରକାଶ କରିଥିଲେ । ଏହି ତିନି ଦିନିଆ ରାଜ୍ୟସ୍ତରୀୟ ସମାବେଶରେ ମତ୍ସ୍ୟଚାଷ ଓ ପ୍ରାଣିପାଳନ ସହ ଜଡ଼ିତ ବିଭିନ୍ନ ପ୍ରଦର୍ଶନୀ ସେମାନଙ୍କ ଜୀବିକାକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ । ଏହି ତିନି ଦିନିଆ ସମାବେଶରେ ପ୍ରାୟ ୧ ଲକ୍ଷରୁ ଅଧିକ ମତ୍ସ୍ୟଚାଷୀ, ପ୍ରାଣିପାଳକ, ଉଦ୍ୟୋଗୀ, ବିଶେଷଜ୍ଞ ଓ ସାଧାରଣ ଦର୍ଶକଙ୍କ ସମାଗମ ହୋଇଥିଲା ।