
ଭୁବନେଶ୍ୱର – ମତ୍ସ୍ଯ ଉତ୍ପାଦନ ବୃଦ୍ଧି ସହିତ ମତ୍ସ୍ଯ କ୍ଷେତ୍ରକୁ ସୁଦୃଢ କରିବା ଉପରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି l ଆଜି ରାଜଭବନରେ ରାଜ୍ୟପାଳ ଡ଼. କମ୍ଭମପାଟି ରାଜ୍ୟର ମତ୍ସ୍ଯ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା / କାର୍ଯ୍ୟକ୍ରମ ର ସ୍ଥିତି ଓ ଭବିଷ୍ୟତ ଯୋଜନା ସମ୍ପର୍କ ରେ ସମୀକ୍ଷା କରିଥିଲେ l ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ ଓ ଏମ. ଏସ. ଏମ. ଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତି ରେ ଏହି ବୈଠକରେ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବରିଷ୍ଠ ଅଧିକାରୀ, ଓଡିଶା ମତ୍ସ୍ଯ ଚାଷ ଉନ୍ନୟନ ନିଗମ, ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଫ୍ରେସୱାଟର ଆକ୍ଵାକଲଚର, ଓୟୁଏଟିର କଲେଜ ଅଫ ଫିସେରିଜ, ଫାଲକନ ମେରାଇନ ଏକ୍ସପର୍ଟ ଲିଃ, ମେରାଇନ ପ୍ରଡକ୍ଟସ ଏକ୍ସପର୍ଟ ଡେଭଲେପମେଣ୍ଟ ଅଥରିଟି ର କର୍ମକର୍ତା ଉକ୍ତ ବୈଠକରେ ଯୋଗେ ଦେଇ ନିଜ ବିଭାଗ / ସଂସ୍ଥାର କାର୍ଯ୍ୟଧାରା ଓ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ l
ମତ୍ସ୍ଯ ଚାଷ କ୍ଷେତ୍ର କୁ ସୁଦୃଢ କରିବା, ସରକାରୀ ଯୋଜନା ର ଉତ୍ତମ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରାଇବା ଏବଂ ମତ୍ସ୍ଯ ଚାଷୀ ଓ ଅଂଶୀଦାରଙ୍କ ଦ୍ୱାରା ମାଛ ଉତ୍ପାଦନ ବୃଦ୍ଧି ସହିତ ଜୀବୀକାର ଉନ୍ନତି ସାଧନ କରିବା ଉପରେ ରାଜ୍ୟପାଳ ସମୀକ୍ଷା କରିଥିଲେ l ରାଜ୍ୟରେ ମତ୍ସ୍ଯର ଆବଶ୍ୟକତା ପୂରଣ ଦିଗରେ ରାଜ୍ୟପାଳ ଉପାଦେୟ ପରାମର୍ଶ ଦେଇଥିଲେ l
ଜ଼ିଲ୍ଲା ୱାରୀ ସର୍ଭେ କରି ରାଜ୍ୟରେ ମାଛ ଚାଷ ପାଇଁ ସମ୍ଭାବ୍ୟ କ୍ଷେତ୍ର ଚିହ୍ନଟ ଉପରେ ଗୁରୁତ୍ୱ ଆରୋପ କରି ପ୍ରତି ବର୍ଷ ମାଛ ଚାଷକୁ ଯଥେଷ୍ଟ ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କହିଥିଲେ l ମାଛ ଉତ୍ପାଦନ ବୃଦ୍ଧି ପାଇଁ ବୈଜ୍ଞାନିକ ପଦ୍ଧତିର ଅବଲମ୍ବନ ଉପରେ ଗୁରୁତ୍ୱ ଆରୋପ କରିଥିଲେ l
ପ୍ରଧାନମନ୍ତ୍ରୀ ମତ୍ସ୍ଯ ସମ୍ପଦ ଯୋଜନା ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଏହି ଯୋଜନା ଅଧିନ ରେ ପୋଖରୀ ବିକାଶ ପାଇଁ ଦିଆଯାଇଥିବା ସବସିଡ଼ି ମାଛ ଚାଷ ପାଇଁ କ୍ଷେତ୍ର ର ବିକାଶ ହେବା ଜରୁରୀ l ଏତଦ ବ୍ୟତୀତ ଉତ୍ପାଦକତା ବୃଦ୍ଧି ଉପରେ ଧ୍ୟାନ ଦେବା ସହିତ ଉତ୍ପାଦର ଗୁଣବତ୍ତା ସୁନିଶ୍ଚିତ କରିବା, ବରଫ ପ୍ଲାଣ୍ଟ ପ୍ରତିଷ୍ଠା କରିବା, ଅଧିକ ସଂଖ୍ୟକ ହାଚେରୀ ପ୍ରତିଷ୍ଠା ତଥା ଚାଷୀମାନଙ୍କ ସୁବିଧା ନିମନ୍ତେ ସହଜ ପରିବହନ ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ ବିହିତ ପଦକ୍ଷେପ ନେବାକୁ କହିଥିଲେ l ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ଅବ୍ୟବହୃତ ପାଣ୍ଠି ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ l ମାଛ ଚାଷ ପାଇଁ ଉପଲବ୍ଧ ଜମିର ବର୍ତ୍ତମାନର ସ୍ଥିତି, ବ୍ୟବହୃତ ଜମି ର ପରିମାଣ, ରାଜ୍ୟ କୁ ଆମଦାନୀ ହେଉଥିବା ମାଛ ର ପରିମାଣ ସମ୍ପର୍କ ରେ ପରିସଂଖ୍ୟାନଗତ ତଥ୍ୟ ର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ l
ସମୀକ୍ଷା ଅବସରରେ ରାଜ୍ୟପାଳ ମତ୍ସ୍ଯ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ଅଭିନଵ କୌଶଳ, ପ୍ରଯୁକ୍ତି ବିଦ୍ୟାର ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ମତ୍ସ୍ଯ ଚାଷ ସହ ସଂପୃକ୍ତ ବିଭିନ୍ନ ବିଭାଗ / ସଂସ୍ଥା ର ଅଧିକାରୀ / କର୍ମକର୍ତ୍ତା ମାନେ ମତ୍ସ୍ଯ ଚାଷୀମାନଙ୍କୁ ସରକାରୀ ପ୍ରୋତ୍ସାହନ, ଆର୍ଥିକ ସହାୟତା ଏବଂ ଆଧୁନିକ ଜ୍ଞାନ କୌଶଳ, ବୈଷୟିକ ଜ୍ଞାନ ଉପଲବ୍ଧ କରାଇବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ l ରାଜ୍ୟପାଳ ଙ୍କ ପ୍ରମୁଖ ଶାସନ ସଚିବ ଏନ. ବି. ଏସ. ରାଜପୁତ ଏମ . ପି. ଇ.ଡି.ଏ. ର ଚେୟାରମ୍ୟାନ ଡି. ଭି ସ୍ୱାମୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ l
ପ୍ରାରମ୍ଭରେ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l