
-
ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ କୃତୀ ପ୍ରତିଯୋଗୀ ପୁରସ୍କୃତ
ଭୁବନେଶ୍ବର– ଓଡ଼ିଶା ବିଜ୍ଞାନ ଏକାଡେମୀ ଦ୍ଵାରା ରାଜ୍ଯର ବିଭିନ୍ନ ଜିଲ୍ଲାର ବିଜ୍ଞାନ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଭାବବିନିମୟ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ସିରିପୁରସ୍ଥିତ ଇମେଜ୍ ପରିସରରେ ଆୟୋଜିତ ଏହି ତିନିଦିନିଆ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ବିଜ୍ଞାନର ଆବଶ୍ଯକତା ଓ ପ୍ରୟୋଗ ଉପରେ ଆଲୋକପାତ କରିଥିଲେ । ବିଜ୍ଞାନ ଓ ମାନବସମାଜ ପରସ୍ପରର ପରିପୂରକ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଅଭିହିତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ସମ୍ପର୍କିତ ନୂତନ ଜାଗରଣ ସୃଷ୍ଟି କରାଗଲେ ଭବିଷ୍ଯତ ପିଢ଼ି ସୁରକ୍ଷିତ ହୋଇପାରିବ ବୋଲି ସେ କହିବା ସହ ଓଡ଼ିଶା ବିଜ୍ଞାନ ଏକାଡେମୀର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।
ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କୁ କ୍ଷେତ୍ରସ୍ତରୀୟ ପରିଦର୍ଶନରେ ନିଆଯାଇ ସେମାନଙ୍କୁ ପ୍ରୟୋଗାତ୍ମକ ଜ୍ଞାନ ପ୍ରଦାନ କରାଯାଇଥିଲା । ଏଥି ସହ ଓକାକ୍ ଦ୍ଵାରା କମ୍ପୁ୍ଯଟର ଶିକ୍ଷା ଓ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମର ଉପସ୍ଥାପନା କରାଯାଇଥିଲା । ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ସେମାନଙ୍କ ବିଜ୍ଞାନ ପ୍ରକଳ୍ପଗୁଡ଼ିକୁ ପ୍ରଦଶିର୍ତ କରିଥିଲେ । ଗତ ଦୁଇଦିନ ଧରି ବିଶିଷ୍ଟ ବୈଜ୍ଞାନିକ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ସହ ଭାବବିନିମୟ କରିଥିଲେ ।
ଆଜି ଉଦଯାପନୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଏବଂ ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ବିଜ୍ଞାନ ଏକାଡେମୀର ସଭାପତି ପ୍ରଫେସର ବିଭୂତି ଭୂଷଣ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପାଦକ ପ୍ରଫେସର ଆଶିଷ କୁମାର ମହାନ୍ତି ଧନ୍ଯବାଦ ଅର୍ପଣ କରିଥିଲେ ।