
ଧର୍ମଶାଳା– ମାତ୍ରାଧିକ ମଦ ପିଇବା ହେଲା କାଳ । ମଦ୍ୟପାନ କରି ଶେଷରେ ଜୀବନ ଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ଥାନା ଆରୁହାସ୍ଥିତ ଏକ ହୋଟେଲରେ । ହୋଟେଲ ବାହାରେ ମଦ୍ୟପାନ କରୁଥିବା ବେଳେ ଜଣେ ବାହାର ରାଜ୍ୟର ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ମହାରାଷ୍ଟ୍ର ଥାନେ ଜିଲ୍ଲା କୁଲୱା ଥାନା ଗୋଶାଳିଆ ଅଂଚଳର ଯୋଗେନ୍ଦ୍ର ରାଓ (୪୫) ବୋଲି ଜଣାପଡିଛି । ସେ ଦୀର୍ଘ ଦିନ ହେଲା ବଡଚଣାସ୍ଥିତ ଏକ ଟ୍ରକ ବଡି ତିଆରୀ କାରଖାନାରେ କାମ କରୁଥିଲେ । ତେବେ ସେ ଅତ୍ୟଧିକ ମଦ୍ୟପାନ କରି ସଦାସର୍ବଦା ନିଶାରେ ରହୁଥିଲେ । ଏନେଇ ମାଲିକ ବାରମ୍ବାର ତାଗିଦ୍ କରିବା ସତ୍ୱେ ସେ ନିଶା ନ ଛାଡିବାରୁ ଗତ ୧୫ ଦିନ ହେଲା ସେ ତାଙ୍କୁ ଗ୍ୟାରେଜରୁ ବାହାର କରିଦେଇଥିଲେ । ମୃତ ଯୋଗେନ୍ଦ୍ର ସେଠାରୁ ବିଦା ହେବା ପରେ ଘରକୁ ନଫେରି ଏଣେତେଣେ ସାଙ୍ଗମାନଙ୍କ ସହ ରହି ପ୍ରଚୁର ମଦ୍ୟପାନ କରୁଥିଲା । ତେବେ ଆଜି ସେ ଅତ୍ୟଧିକ ମଦ୍ୟପାନ କରି ଟଳି ପଡିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଡଚଣା ଗୋଷ୍ଠୀ ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଧର୍ମଶାଳା ପୋଲିସ କେସ୍ ନମ୍ବର ୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ରଖିବା ସହ ତାର ପରିବାର ଲୋକଙ୍କୁ ଖବର ଦେଇ ତଦନ୍ତ ଜାରି ରଖିଛି ବୋଲି ପୋଲିସ କହିଛି ।