
ଧର୍ମଶାଳା- ସରକାର ବଦଳିଛି । ବଦଳିଲାନି ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା । ସ୍ୱାସ୍ଥ୍ୟକେନ୍ଦ୍ର ଏକ ଗୁରୁତ୍ୱ ପୁର୍ଣ୍ଣ ଅଙ୍ଗ ହୋଇଥିବା ବେଳେ ଏହାକୁ କେହି ଗୁରୁତ୍ୱ ଦେଉ ନ ଥିବା ପରି ମନେ ହେଉଛି । ଅନ୍ୟପକ୍ଷରେ ସରକାର ଜନ୍ମ ମୃତ୍ୟୁ ହାର କମାଇବାକୁ ପ୍ରଚାର ପ୍ରସାର କରୁଛନ୍ତି । ହେଲେ ପ୍ରସୂତି ଡାକ୍ତର ନ ଥିବାରୁ ପ୍ରସୂତି ମହିଳା ମାନେ ଯନ୍ତ୍ରଣାରେ ଛଟପଟ ହୋଇ ଅନ୍ୟ ମେଡିକାଲକୁ ଯିବାକୁ ବାଧ୍ୟ ହେଉଥିବା ବେଳେ ଅନେକ ମହିଳା ମୃତ୍ୟୁ ମୁଖରେ ପଡୁଛନ୍ତି । ଦୀର୍ଘ ୨ ବର୍ଷ ହେବ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ଡାକ୍ତର ନ ଥିବାରୁ ଅଂଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଏହି ଘଟଣା ଉପରେ କର୍ଣ୍ଣପାତ ନ କରିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ଷେତ୍ରରେ । ଜିଲାର ଏହି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନୀୟ ଅଂଚଳବାସୀଙ୍କ ସାହା ଭରସା ପାଲଟି ଥିବା ବେଳେ ଏବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ କେହି ଆସିବାକୁ ଉଚିତ ମଣୁ ନାହାନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତି ଦିନ ଶହ ଶହ ମହିଳା ଓ ପ୍ରସୂତି ମହିଳାମାନେ ଆସିଥାନ୍ତି । ବର୍ଷ ବର୍ଷ ଧରି ଏହି ଡାକ୍ତରଖାନାର ପ୍ରସୂତି ବିଭାଗର ପରି ଏକ ଜରୁରୀ ବିଭାଗର ଡାକ୍ତର ନ ଥିବାରୁ ନାହିଁ ନ ଥିବା ସମସ୍ୟା ଦେଖା ଦେଇଛି । ପ୍ରସୂତିମାନେ ଏହି ଡାକ୍ତରଖାନାରୁ ଚିକିତ୍ସା ନ ପାଇ ଫେରି ଯାଉଛନ୍ତି । ଆଶା, ଭରସା କରି ଦୂରଦୂରାନ୍ତରୁ ଆସି ନିରାଶ ହୋଇ ଫେରୁଛନ୍ତି । ଫଳରେ ସେମାନେ ବାଧ୍ୟ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଯଥା ଖର୍ଚ୍ଚାନ୍ତ କରି ଯାଉଛନ୍ତି । ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତିଭୂମି ବିକାଶକୁ ଗୁରୁତ୍ୱ ଦେଉଥିବା ବେଳେ ମଧୁବନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ସମସ୍ୟା ପ୍ରତି ଜିଲା ପ୍ର୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ରୋଗୀ ଓ ରୋଗୀ ସମ୍ପର୍କୀୟ ମହଲରେ ଦାବି ହେଉଛି ।