![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର– ଆଜିଠାରୁ ସପ୍ତଦଶ ବିଧାନସଭାର ଦ୍ବିତୀୟ ବା ବଜେଟ ଅଧିବେଶନ। ବିଧାନସଭାର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇ 21 ଯାଏ ଓ ଦ୍ୱିତୀୟ ଅଧିବେଶନ ମାର୍ଚ 7ରୁ ଏପ୍ରିଲ 5 ଯାଏ ଚାଲିବ। ମୋଟ 28 ଟି କାର୍ଯ୍ୟ ଦିବସ ରହିବ।
ସରକାରଙ୍କ ଫୋକସରେ ଯୁବ ମହିଳା, ଚାଷୀ ଓ ଗ୍ରାମାଞ୍ଚଳ ବିକାଶ । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି କ୍ଷେତ୍ରକୁ ମିଳିପାରେ ଅଧିକ ଗୁରୁତ୍ବ । ଆସନ୍ତା 17 ତାରିଖରେ ବିଧାନସଭାରେ ଆଗତ ହେବ 205-26 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବିଜେଟ୍ । ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଉପସ୍ଥାପନ କରିବେ ବଜେଟ୍ । ତେବେ କଣ ରହିବ ରାଜ୍ୟ ବଜେଟରେ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ପୁରୁଣା ଫ୍ଲାଗସିପ୍ କାର୍ଯ୍ୟକ୍ରମକୁ ଗୁରୁତ୍ବ, ଘୋଷଣା ହୋଇଥିବା ଯୋଜନାରେ ବ୍ୟୟ ବରାଦ ସହ ନୂଆ ଯୋଜନା ଆଣିବା ସରକାରଙ୍କ ପାଇଁ ହୋଇପାରେ ଚ୍ୟାଲେଞ୍ଜ । ବିଶେଷ କରି ସୁଭଦ୍ରା, ଧାନ ଏମଏସପି ଉପରେ 800 ଟଙ୍କାର ସବସିଡ୍ ସହ ଅନ୍ତଦ୍ବୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଯୋଜନା, ସାମାଜିକ ପ୍ନସନ ସ୍କିମ୍, ପ୍ରତି ବ୍ଲକ୍ ରେ ଷ୍ଟାଡିୟମ, 58 ଟି ନୂଆ ଶୀତଳ ଭଣ୍ଡାର ସହ 100 ରୁ ଅଧିକ ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ପାଇଁ ବ୍ୟୟ ବରାଦ ବିଜେଟର ବଡ ଅଂଶ ଯାଇପାରେ ।
ସେପଟେ ବିଧାନସଭା ଆରମ୍ଭ ହେଉଥିବାରୁ ଗତକାଲି ତିନି ରାଜନୈତିକ ଦଳ ବିଧାୟକ ଦଳ ବୈଠକ ଡାକି ରଣନୀତି ପ୍ରସ୍ତୁତି କରିଛନ୍ତି । ସରକାର ଅନେକ ବିଲ ଉପସ୍ଥାପନ ପାଇଁ ଯୋଜନା ରଖିଥିବା ବେଳେ 8 ମାସ ସରକାରଙ୍କ ସଫଳତାକୁ ପ୍ରସଙ୍ଗ କରି ବିରୋଧୀଙ୍କ ମୁକାବିଲା ଲାଗି ବିଜେପି ବିଧାୟକ ଦଳ ନିଷ୍ପତ୍ତି ନେଇଛି । ସେହିପରି ବିଜେଡି ଓ କଂଗ୍ରେସ ପୁଳା ପୁଳା ପ୍ରସଙ୍ଗ ଧରି ସରକାରକୁ ଘେରିବାକୁ ଯୋଜନା କରିଛନ୍ତି । ବିଧାନସଭା ବଜେଟ୍ ଅଧିବେଶନ 28 ଟି କାର୍ଯ୍ୟ ଦିବସ ସହ ଲମ୍ବା ଅବଧି ପର୍ଯ୍ୟନ୍ତ ଚାଲିବ । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ସହ ବିଧାନସଭା ପରିସରକୁ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ତା ଭିତରେ ରଖାଯାଇଛି । ବିଧାନସଭା ସୁରକ୍ଷା ପାଇଁ ମୁତୟନ ହେବେ 30 ପ୍ଲାଟୁନ ପୋଲିସ ଫୋର୍ସ, ଦାୟିତ୍ବରେ ରହିବେ 100 ପୋଲିସ ଅଫିସର। ସ୍ପେଶାଲ ଟାକଟିକାଲ ୟୁନିଟ,ରୁଫ ଟପ ସିକ୍ୟୁରୀଟି, ଡଗ ସ୍କ୍ବାଡ଼ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ। ଲାଗିବ ସିସିଟିଭି। ଆନ୍ଦୋଳନ ସ୍ଥଳରେ ସ୍ଵତନ୍ତ୍ର ଫୋର୍ସ ଆବଶ୍ୟକ ଅନୁସାରେ ହେବେ ନିୟୋଜିତ।