![](https://indokalingtimes.com/wp-content/uploads/2025/02/WhatsApp-Image-2025-02-12-at-19.52.57-1024x768.jpeg)
-
ଅଧ୍ୟକ୍ଷତା କଲେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା କେ ରାହତକର
-
ବୈଠକରେ ଯୋଗ ଦେଲେ
-
ରାଜ୍ୟସରକାରଙ୍କ ସମସ୍ତ ବିଭାଗର ନୋଡାଲ ଅଧିକାରୀ
-
ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ଅନ୍ତଃ ସମିତି ଓ ପ୍ରତି ଜିଲ୍ଲାରେ ଆଞ୍ଚଳିକ ସମିତି ଉପରେ ଗୁରୁତ୍ଵ
-
ପୋଶ ଆଇନ – ଅନ୍ୟାୟ ବିରୁଦ୍ଧ , ପୁରୁଷ ବିରୁଦ୍ଧ ନୁହେଁ : ଶ୍ରୀମତୀ ରାହତକର
ଭୁବନେଶ୍ଵର, ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା ରାହତକରଙ୍କ ଦି ଦିନିଆ ଗସ୍ତ କାଳରେ ଆଜି ମହିଳା ଓ ଶିଶୁ ବିକାଶ ଏବଂ ଜାତୀୟ ମହିଳା ଆୟୋଗ ର ସହଭାଗିତାରେ ରାଜ୍ୟରେ “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ)ର କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ ଶ୍ରୀମତୀ ବିଜୟା କେ ରାହତକର ଅଧ୍ୟକ୍ଷତା କରି କହିଲେ ଯେ ଆଜିର ଯୁଗରେ ସମାଜରେ ମହିଳାମାନଙ୍କ ଭୂମିକା ଓ କର୍ତ୍ତବ୍ୟରେ ବହୁ ପରିବର୍ତ୍ତନ ଆସିଛି । ଆଜିର କର୍ମଜୀବୀ ମହିଳା ନିଜ ଘର ଓ କାର୍ଯ୍ୟକୁ ଅତି ନିଖୁଣ ଭାବରେ ପରିଚାଳନା କରିପାରୁଛନ୍ତି । ଏହି ପରିପ୍ରେକ୍ଷିରେ ସେମାନଙ୍କୁ ଏକ ସୁରକ୍ଷିତ ଓ ସମ୍ମାନିତ କାର୍ଯ୍ୟକ୍ଷେତ୍ର ପ୍ରଦାନ କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ଵ ହେବା ଉଚିତ । “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ ) ର ସଠିକ କାର୍ଯ୍ୟକାରିତା ଓ ଏହି ଆଇନ ସମ୍ବନ୍ଧରେ ଦୃଢ ଜନସଚେତନତା ସୃଷ୍ଟି କରିପାରିଲେ ହିଁ ଆମେ କାର୍ଯ୍ୟକ୍ଷେତ୍ରରେ ଘଟୁଥିବା ଯୌନ ଉତ୍ପୀଡନକୁ ଦମନ କରିପାରିବା ବୋଲି ଦୃଢୋକ୍ତି ରଖିଛନ୍ତି । ରାଜ୍ୟର ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ଅନ୍ତଃ ସମିତି ଓ ପ୍ରତ୍ୟେକ ଜିଲ୍ଲାରେ ଆଞ୍ଚଳିକ ସମିତିର ଗଠନ ଉପରେ ସେ ଗୁରୁତ୍ଵାରୋପ କରିଛନ୍ତି ।ସମିତିର ସଦସ୍ୟା ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ପ୍ରତି ଜିଲ୍ଲାର ସର୍ବସାଧାରଣ ସ୍ଥାନରେ ଏହି ଆଇନ ସମ୍ପର୍କରେ ବିଜ୍ଞାପନ ଓ ହୋର୍ଡିଂ ଜରିଆରେ ଲୋକମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଏହି ଆଇନ ଅନ୍ୟାୟ ବିରୁଦ୍ଧ, ପୁରୁଷ ବିରୁଦ୍ଧ ନୁହେଁ ଏବଂ ଏହି ଆଇନ ହିସାବରେ ଦୋଷୀ କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ସେ ଦୃଢ ମତ ରଖିଥିଲେ ।
ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ଓଡ଼ିଶାରେ “କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ନିରୋଧ ଆଇନ”(ପୋଶ ଆଇନ )ର ସ୍ଥିତି ବିଷୟରେ ବିଶଦ ଉପସ୍ଥାପନ କରିଥିଲେ । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ପୋଲିସ ଆଇଜି ଏସ.ସାଇନିଙ୍କ ସହ ବିଭାଗୀୟ ନିର୍ଦ୍ଦେଶକ ସୁଶ୍ରୀ ମୋନିଷା ବାନାର୍ଜୀ ଓ ବିଭାଗର ଉଚ୍ଚପଦସ୍ଥ ଅଧିକାରୀବୃନ୍ଦ ମାନେ ଉପସ୍ଥିତ ଥିଲେ । ରାଜ୍ୟସରକାରଙ୍କ ସମସ୍ତ ବିଭାଗର ନୋଡାଲ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।