![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ଵର, ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଭେଟେରିନାରୀ କଲେଜ ଅଡ଼ିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଲୋଗୋ ଏବଂ ମାସ୍କଟ୍ ଉନ୍ମୋଚନ କରିଥିଲେ । ପରେ ପରେ ମାନ୍ୟବର ମନ୍ତ୍ରୀ ସମାବେଶ ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ତଥ୍ୟ ରଖିଥିଲେ । କହିଥିଲେ ମତ୍ସ୍ୟଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧିର ମହାକୁମ୍ଭ ସାଜିବ ଏହି ସମାବେଶ । କ୍ଷୀର, ମାଂସ, ଅଣ୍ଡା ଓ ମାଛ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ତଥ୍ୟ ରଖିଥିଲେ ।
ଚଳିତ ଫେବୃଆରୀ ୧୪ ରୁ ୧୬ ପର୍ଯ୍ୟନ୍ତ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆଠାରେ ଏହି ସମାବେଶ ଆୟୋଜିତ ହେବ । ୨୦୨୫ ବର୍ଷ ପାଇଁ ଥିମ ରହିଛି “ମତ୍ସ୍ୟ ଓ ପ୍ରାଣିପାଳନ, ଜୀବନଜୀବିକା ଜୈବସନ୍ତୁଳନ ।” ଏହି ସମାବେଶରେ ପ୍ରତି ବ୍ଲକ୍ ରୁ ୨୬ ଜଣ ଚାଷୀ ମୋଟ ୮୧୬୪ ଜଣ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ ଯୋଗ ଦେବେ । ତା ସହ ପ୍ରତ୍ୟେକ ଉପଖଣ୍ଡରୁ ୪ ଜଣ ସଫଳ ପ୍ରାଣିପାଳକ ଓ ମତ୍ସ୍ୟଚାଷୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ । ବିଭାଗ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୪ ଜଣ ଶ୍ରେଷ୍ଠ ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ସମାବେଶ ଉପଲକ୍ଷେ ଆୟୋଜିତ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ ।
ଚଳିତଥର ମୋଟ ୧୦ଟି ଇଣ୍ଟରାକ୍ଟିଭ୍ ପ୍ୟାନେଲ୍ ଆଲୋଚନାଚକ୍ର ଆୟୋଜନ ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । “ମନ୍ତ୍ରୀଙ୍କୁ ପଚାରନ୍ତୁ” କାର୍ଯ୍ୟକ୍ରମରେ ସିଧାସଳଖ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗୋକୁଳନନ୍ଦ ମଲ୍ଲିକ । ୨ଟି ହ୍ୟାଙ୍ଗର୍ ରେ ପ୍ରାୟ ୨୦୦ ଟି ଷ୍ଟଲ୍ ରେ ମତ୍ସ୍ୟ, ପ୍ରାଣିପାଳନ, ବିଭିନ୍ନ ବିଭାଗ ଓ କମ୍ପାନୀର ଉତ୍ପାଦ ପ୍ରଦର୍ଶିତ ହେବ । ସେହିପରି ୨ଟି ଖୋଲା ହ୍ୟାଙ୍ଗରରେ ଜୀବନ୍ତ ପ୍ରାଣୀ ଓ ମତ୍ସ୍ୟ ପ୍ରଦର୍ଶନୀ କରାଯିବ । ପ୍ରତି ସନ୍ଧ୍ୟାରେ ଲୋକନୃତ୍ୟ ଏବଂ ଶାସ୍ତ୍ରୀୟ ନୃତ୍ୟ ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ସମାବେଶକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜସ୍ଥାନରୁ ଆସୁଛି ମଇଁଷି ଷଣ୍ଢ ଭୀମ । ଆନ୍ଧ୍ରପ୍ରଦେଶର ପୁଙ୍ଗାନୁର ଗାଈ ସମାବେଶର ଅନ୍ୟତମ ଆକର୍ଷଣ । “ଡଗ୍ ସୋ”ରେ ବିଭିନ୍ନ ପ୍ରଜାତିର କୁକୁରମାନଙ୍କୁ ପ୍ରଦର୍ଶିତ କରାଯିବ । ୧୪ ଫେବୃଆରୀ ସକାଳ ୬ଟାରେ ଓୟୁଏଟି ଭେଟେରିନାରୀ କଲେଜଠାରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ଏକ ୱାକାଥନ୍ ଆୟୋଜିତ ହେବ । ଏହି ୱାକାଥନ୍ ରେ ଯୋଗ ଦେବାକୁ ମାନ୍ୟବର ମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ତା ସହ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା’ ବୁଲିବାକୁ ଆସି ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍, ପ୍ରାଣିପାଳନ ଓ ପ୍ରାଣି ଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।