![](https://indokalingtimes.com/wp-content/uploads/2025/02/ab9bf0e14c5e9d43516b7ffc43116d18_710764030-1024x682.jpg)
କନ୍ଧମାଳ– କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର କେରେଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଅତି ଆଡମ୍ବରରେ ସୋମବାର ଦିନ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳିତ ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାରା ପ୍ରସାଦ ମିଶ୍ର ସଭାପତିତ୍ଵ କରି ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗଦେଇ ନିଜ ବ୍ୟକ୍ତିଗତ ଅନୁଭୂତି ଜରିଆରେ ପିଲାମାନଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ। ସମସ୍ତଙ୍କ ମିଳିତ ଉଦ୍ୟମ ହେଲେ ହିଁ କନ୍ଧମାଳ ଜିଲ୍ଲା ସହ ଯୋଡି ହୋଇ ରହିଥିବା ପଛୁଆ ଶବ୍ଦକୁ ଉଠାଯାଇ ପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ବିଧାୟକ ବିଦ୍ୟାଳୟର ଥିବା ଅସୁବିଧାକୁ ଦୂର କରିବା ପାଇଁ ତାଙ୍କ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଫୁଲବାଣୀ ଗୋଷ୍ଠୀ କୃଷି ଅଧିକାରୀ ସୁଶ୍ରୀ ସୁନିତା ମିଶ୍ର ଯୋଗ ଦେଇ ତାଙ୍କର ଓଜସ୍ଵିନୀ ଭାଷଣ ଜରିଆରେ ଛାତ୍ରଛାତ୍ରୀ ତଥା ଗ୍ରାମବାସୀଙ୍କୁ ନିଜର କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ସଚେତନ କରାଇଥିଲେ । ସେ ଛାତ୍ରଛାତ୍ରୀଙ୍କ ବିକାଶରେ ଅଭିଭାବକ , ଶିକ୍ଷକ – ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ସମାନ ସହଭାଗିତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ଛାତ୍ର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଆଠ ମାଲିକ, ବୌଦ୍ଧ ବାଳକୃଷ୍ଣ କହଁର ଯୋଗ ଦେଇ ନିଜ ପିଲାଦିନର ଅନୁଭୂତିକୁ ମନେ ପକାଇ ପିଲାମାନଙ୍କୁ ଭବିଷ୍ୟତ ଗଠନ କରିବା ପାଇଁ ପ୍ରେରଣା ଦେଇଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଖମାରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରଜ ଦିଗାଲ ଏବଂ ପାଞ୍ଚଶଖା ଶିକ୍ଷା ସେତୁ କମିଟିର ସଭାପତି ପ୍ରବୀଣ କୁମାର ସାହୁ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା ।