ଭୁବନେଶ୍ୱର – ଓୟୁଏଟିର ଭୁବନେଶ୍ୱର ସ୍ଥିତ କୁକୁଡ଼ା ଫାର୍ମରେ ବାର୍ଡ଼ ଫ୍ଲୁ ଲାଗିଥିବା ସ୍ପଷ୍ଟ ହେଲାପରେ ଆଜିଠାରୁ କୁକୁଡ଼ାମଣା ଅଭିଯାନ ଆରମ୍ଭ ହୋଇଛି । ଦୁଇଟି ରାପିଡ ରେସପନ୍ସ ଟିମ ସଂକ୍ରମିତ ସ୍ଥାନରେ ୭୯୮ ଗୋଟି କୁକୁଡ଼ାଙ୍କୁ ମାରି ଗଭୀର ଗାତରେ ପୋତିଦେଇଛନ୍ତି । ତା’ ଛଡ଼ା ସେମାନେ ସଂକ୍ରମିତ ସ୍ଥାନରେ ଓୟୁଏଟି କୁକୁଡ଼ା ଫାର୍ମର ୧୨୧୫ଟି ଅଣ୍ଡା, ୨୩୫୦ କିଲୋଗ୍ରାମ କୁକୁଡ଼ା ଖାଦ୍ୟ ଓ ଫାର୍ମରେ ଥିବା କୁକୁଡ଼ା ଖତ ଗଭୀର ଗାତରେ ପୋତିଦେଇଛନ୍ତି । ପାଂଚଟି ରାପିଡ ରେସପନ୍ସ ଟିମ ସଂକ୍ରମିତ ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳରେ ଆଜି କୁକୁଡ଼ାମରା କାର୍ଯ୍ୟରେ ନିୟୋଜିତ ଥିଲେ । ସେମାନେ ଏହି ଅଂଚଳରେ ଥିବା କୁକୁଡ଼ା ଦୋକାନ ଏବଂ କୁକୁଡ଼ା ଚାଷୀଙ୍କ ୧୧୭ଗୋଟି କୁକୁଡ଼ା ଓ ୭ଟି ବତକଙ୍କୁ ମାରି ଗଭୀର ଗାତରେ ପୋତିଦେଇଛନ୍ତି । ପୋତିବା ସମୟରେ ସେମାନେ ଗାତରେ ବିଶୋଧକ ଭାବେ ଚୁନ ଓ ବ୍ଲିଚିଂ ପାଉଡର ପ୍ରୟୋଗ କରିଥିଲେ । ସଂକ୍ରମିତ ସ୍ଥାନରେ ମଧ୍ୟ ସେମାନେ ବିଶୋଧକ ଭାବେ ବ୍ଲିଚିଂ ପାଉଡର ପ୍ରୟୋଗ କରିଥିଲେ ।
ଆଜି ୧୧ ବ୍ରଏଲର ଚିଆଁ ୪୫ ଲେୟର ଚିଆଁ, ୮୫୯ ଲେୟର କୁକୁଡ଼ା, ୭ ବତକ, ୪୬୩୧ ଅଣ୍ଡା ଓ ୨୩୫୭ କିଲୋଗ୍ରାମ କୁକୁଡ଼ା ଦାନା ନଷ୍ଟ କରାଯାଇଥିଲା । କ୍ଷତିପୂରଣ ବାବଦକୁ ବ୍ରଏଲର ଚିଆଁ ପ୍ରତି ୨୦ ଟଙ୍କା, ବ୍ରଏଲର କୁକୁଡ଼ା ପ୍ରତି ୭୦ ଟଙ୍କା ଲେୟର ଚିଆଁ ପ୍ରତି ୨୦ ଟଙ୍କା, ଲେୟର କୁକୁଡ଼ା ପ୍ରତି ୯୦ ଟଙ୍କା, ବତକ ଚିଆଁ ପ୍ରତି ୩୫ ଟଙ୍କା, ବତକ ପ୍ରତି ୧୩୫ ଟଙ୍କା, ଅଣ୍ଡା ପ୍ରତି ୩ଟଙ୍କା ଓ କୁକୁଡ଼ା ଦାନା କିଲୋଗ୍ରାମ ପ୍ରତି ୧୨ ଟଙ୍କା ହିସାବରେ ମୋଟ ୧୭୮୮୭ ଟଙ୍କା ପ୍ରଦାନ କରାଯାଇଥିଲା । ଓୟୁଏଟି କୁକୁଡ଼ା ଫାର୍ମ ସରକାରୀ ଫାର୍ମ ହୋଇଥିବାରୁ କୌଣସି କ୍ଷତିପୂରଣ ଦିଆଯାଇ ନଥିଲା ।
ଆସନ୍ତାକାଲି ମଧ୍ୟ କୁକୁଡ଼ା ମରା ଅଭିଯାନ ଓ ବିଶୋଧନ ପ୍ରକ୍ରିୟା ଓୟୁଏଟି କୁକୁଡ଼ା ଫାର୍ମ ଏବଂ ୧ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଆସୁଥିବା ଅଂଚଳମାନଙ୍କରେ ଚାଲୁ ରହିବ । ଏତଦବ୍ୟତୀତ ୧ରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଂଚଳରେ ରାପିଡ ରେସପନ୍ସ ଟିମମାନଙ୍କ ଦ୍ୱାରା ତନ୍ନତନ୍ନ କରି ନିରୀକ୍ଷଣ କରାଯିବ ।