
ବହରାଇଚ– ଉତର ପ୍ରଦେଶର ବହରାଇଚରେ ଲକ୍ଷ୍ନୌ-ବହରାଇଚ ରାସ୍ତାରେ କରିମ ବେହଡ ଗାଁ ନିକଟରେ ଆଜି ସକାଳେ କାର ଓ ଡମ୍ପର ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ଗୋଟିଏ ପରିବାରର 5ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ପହଂଚାଇ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଚନ୍ତି । ଏହାସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ପୋଲିସ ସୂଚନା ମୁତାବକ ମେଟରା ଥାନା ଅଂଚଳର ମଟେରା ଛକର ବାସିନ୍ଦା ଔଷଧ ପାଇଁ ଲକ୍ଷ୍ନୌ ଯାଉଥିଲେ । ଡ୍ରାଇଭର ଗାଡି ଚଳାଉଥିଲା । ତେବେ କାରଟି ଲକ୍ଷ୍ନୌ-ବହରାଇଚ ରାସ୍ତାର କରିମ ବେହଡ ଗାଁ ନିକଟରେ ପହଂଚିବା ମାତ୍ରେ କେସରଗଂଜରୁ ଆସୁଥିବା ଏକ ଡମ୍ପର ଭାରସାମ୍ୟ ହରାଇ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ 3ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ମେଡିକାଲ ନେବା ସମୟରେ ମୃତ୍ୟୁ ହୋଇଥିଲା । ପୋଲିସ ଜେସିବି ଜରିଆରେ କାରକୁ ବାହାର କରିଥିଲା ।