-
୧ ବିଲିୟନ ଆମେରିକୀୟ ଡଲାର ନିବେଶ ପାଇଁ ଇଛୁକ
ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା କନକ୍ଲେଭ ପରେ ମଧ୍ୟ ଓଡ଼ିଶାକୁ ନିବେଶର ସୁଅ ଛୁଟି ଚାଲିଛି । ଚିଲିର ଏଚଆଇଏଫ ଗ୍ଲୋବାଲ ଇଣ୍ଡିଆ ନାମକ ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାର ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଇ- ଫୁଏଲ ଉତ୍ପାଦନ ନେଇ ଏକ ଉପସ୍ଥାପନା ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଆଗରେ ପ୍ରଦର୍ଶନ କରିଛନ୍ତି ।
ଆଜିର ସମୟରେ ବାୟୋଫୁଏଲର ବହୁତ ଚାହିଦା ରହିଛି । ପରିବେଶ ସୁରକ୍ଷା ସହ ଜୈବମଣ୍ଡଳର ସନ୍ତୁଳନ ରକ୍ଷା ନିମନ୍ତେ ଇ- ଫୁଏଲ ର ଆବଶ୍ୟକ ରହିଛି । ଏଚଆଇଏଫ ଗ୍ଲୋବାଲ ଇଣ୍ଡିଆ କମ୍ପାନୀ ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା, ଚିଲି, ଉରୁଗୁଏ, ଅଷ୍ଟ୍ରେଲିଆ ପ୍ରଭୃତି ଦେଶରେ ମିଥାନଲ ସିନ୍ଥେସିସ୍ କ୍ଷେତ୍ରରେ କାର୍ଯ୍ୟ କରୁଛି । ଓଡ଼ିଶାରେ ମଧ୍ୟ ଏହି ଭଳି ଏକ $୧ ବିଲିୟନ ଆମେରିକୀୟ ଡଲାରର ମିଥାନଲ ସିନ୍ଥେସିସ୍ ପ୍ରକଳ୍ପ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସରକାରୀ ପ୍ରଦତ୍ତ ନିୟମାବଳୀ ଅନୁସାରେ ନିବେଶ କରିବାକୁ ବହୁତ ସେ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ଅନୁଯାୟୀ ୫୦ ଏକର ଜମି, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ଭଳି ଆନୁଷଙ୍ଗିକ ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଓଡ଼ିଶା ବର୍ତ୍ତମାନ ନିବେଶ ପାଇଁ ଶତପ୍ରତିଶତ ଅନୁକୂଳ । ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଆମେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛୁ । ଆମର ନିବେଶ ଅନୁକୂଳ single windo clearance ବ୍ୟବସ୍ଥା ଅଛି । ଏହାର ବ୍ୟବହାର ମଧ୍ୟ ଆପଣମାନେ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାରମ୍ଭିକ କ୍ଷେତ୍ରରେ ୨୫୦ରୁ ଉର୍ଦ୍ଧ୍ବ ଲୋକ ଓ ପରବର୍ତ୍ତୀ ସମୟରେ ୫୦୦ ରୁ ଉର୍ଦ୍ଧ୍ବ ଲୋକ ରୋଜଗାର ପାଇବେ ବୋଲି ଆକଳନ କରାଯାଇଛି । ଏବଂ ବାର୍ଷିକ ୩,୫୦,୦୦୦ ଟନର ଇ-ମିଥାନଲ ଉତ୍ପାଦନ ହେବ । ୯୫ ପ୍ରତିଶତ କାର୍ବନ ନିର୍ଗମନ ହ୍ରାସ ପାଇବ ।
ଏହି ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ଇପିକଲ ଏମଡି ଶ୍ରୀ ଭୁପିନ୍ଦର ସିଂ ପୁନିଆ, ଟାଟା ପାୱାର ଓ ଶକ୍ତି ବିଭାଗ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।