
ନୂଆଦିଲ୍ଲୀ- ପରୀକ୍ଷା ପ୍ରାୟତଃ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପାଇଁ ଚିନ୍ତାର କାରଣ ପାଲଟିଥାଏ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ( ପିପିସି) ପଦକ୍ଷେପ ଏହି ଧାରାକୁ ବଦଳାଇ ଦେଇଛି। ଏବର୍ଷର ପରୀକ୍ଷା ପେ ଚର୍ଚ୍ଚା ଆଜି ପୂର୍ବାହ୍ନ ୧୧ଟା ଅନୁଷ୍ଠିତ ହେବ ।
ଏହି ମତବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ କଥାବାର୍ତ୍ତା କରିବେ। ପିପିସିର ପ୍ରତ୍ୟେକ ସଂସ୍କରଣରେ ପରୀକ୍ଷା ସମ୍ବନ୍ଧୀୟ ଚିନ୍ତାର ମୁକାବିଲା ପାଇଁ ଅଭିନବ ପଦ୍ଧତି ଉପରେ ଆଲୋକପାତ କରାଯାଇଥାଏ, ଯାହା ଶିକ୍ଷଣ ଏବଂ ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ ।
୧୦ ଫେବୃଆରୀ ୨୦୨୫ରେ ହେବାକୁ ଥିବା ପିପିସିର ଅଷ୍ଟମ ସଂସ୍କରଣ ଏକ ନୂଆ ମାନଦଣ୍ଡ ସ୍ଥାପିତ କରିସାରିଛି । ୫ କୋଟିରୁ ଅଧିକ ଅଂଶଗ୍ରହଣ ସହ ଚଳିତ ବର୍ଷର ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନର ମାନ୍ୟତା ପ୍ରାପ୍ତ କରିଛି ଓ ଶିକ୍ଷାର ସାମୁହିକ ଉତ୍ସବକୁ ଅନୁପ୍ରାଣିତ କରିଛି । ଚଳିତ ବର୍ଷ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୩୬ ଜଣ ଛାତ୍ରଛାତ୍ରୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାରୀ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ବିଦ୍ୟାଳୟ, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ସିବିଏସ୍ଇ ଏବଂ ନବୋଦୟ ବିଦ୍ୟାଳୟରୁ ମନୋନୀତ ହୋଇଛନ୍ତି। ପରୀକ୍ଷା ପେ ଚର୍ଚ୍ଚା-୨୦୨୫ରେ ୭ଟି ଗବେଷଣାମୂଳକ ଏପିସୋଡ୍ ପ୍ରଦର୍ଶିତ ହେବ, ଯେଉଁଥିରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏକାଠି କରାଯାଇ ଜୀବନ ଓ ଶିକ୍ଷଣର ଅତ୍ୟାବଶ୍ୟକ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରାଯିବ।